ପାହିଲାଣି ରାତି
ପାହିଲାଣି ରାତି
ପ୍ରାଚୀ ଗଗନରେ ଅରୁଣିମା ବୋଳି
ଉଠିଲେ ସୁରୁଜ ଉଇଁ,
କୁକ୍କୁଟ ଡାକିଲା ଆଳସ୍ୟକୁ ତେଜ
ଉଠ ସର୍ବେ ଏବେ ଚେଇଁ ।
ଅନ୍ଧାର ହଟାଇ ପତ୍ର ଗହଳିରୁ
ଆଲୋକ ରଶ୍ମିକୁ ବୁଣି,
ପାଳନ କରନ୍ତି ଏ ସାରା ସୃଷ୍ଟିକୁ
ଲେଖନ୍ତି ନୂଆ କାହାଣୀ ।
ସକାଳ ପବନ ସୁରଭି ଖେଳାଏ
ଜାତି ଜାତି ପୁଷ୍ପଙ୍କର,
ସ୍ନିଗ୍ଧ ପବନ ଯେ ଅମୃତ ସମାନ
ମନକୁ କରେ ବିଭୋର ।
ମନ୍ଦିର ରୁ ଶୁଭେଶୁଭ ଶଙ୍ଖ ଧ୍ୱନି
ମନ୍ତ୍ର ର ପୂତ ଝଙ୍କାର,
ବିଭୁଙ୍କ ଚେତନା ପବିତ୍ରତା ଭରେ
ସଭିଙ୍କ ହୃଦକନ୍ଦର ।
ନୂଆ ଆଶା ଆଣି ଦିବସ ଆସଇ
ଗତକଥା ପଛେ ଥୋଇ,
କର୍ମ କରିଯାଅ କର୍ମ ବଳେ ପୁଣି
ଭବିଷ୍ୟ ଗଢ଼ିବା ପାଇଁ ।
ଆଳସ୍ୟ ବଳରେ ପଛ କଥା ଗୁଣି
ବସିଥିବା ଯଦି ଭାବି,
ବର୍ତ୍ତମାନ କାମ ପଛକୁ ରହିବ
କହିଛନ୍ତି ଅନୁଭବୀ ।
କୀଟ ପତଙ୍ଗ ଠୁଁ ପଶୁ ପକ୍ଷୀ ଯାଏଁ
ସଭିଏଁ ଉଠନ୍ତି ଜାଗି,
ନିଜ ନିଜକାମ କରନ୍ତି ଆନନ୍ଦେ
ବାଦ ବିବାଦ ନଲାଗି ।
ସବୁଜୀବ ଠାରୁ ଶ୍ରେଷ୍ଠ ମାନବ
ହେବା ଆମେ ଆଗୁସାର,
ସ୍ୱାଗତ କରିବା ନୂଆ ପ୍ରଭାତକୁ
କର୍ମରେ ହେବା ତତ୍ପର ।।
ପ୍ରଦୋଷରୁ ରାତ୍ର ରାତ୍ରରୁ ପ୍ରତ୍ୟୁଷ
ପ୍ରତ୍ୟୁଷରେ ଉଷା ହସ,
ଦିବସ କାମକୁ ସୁଧାମୟ କରି
ମନରେ ଭରେ ବିଶ୍ୱାସ।