ପାହାନ୍ତି ଜହ୍ନର କଥା
ପାହାନ୍ତି ଜହ୍ନର କଥା
ଉଜାଗରେ ସାଥୀ ଯାଏ ରାତି ବିତି, ପାହାନ୍ତି ସପନ ଦେଖେ
ପାହାନ୍ତି ସପନ ହୁଏ କାଳେ ସତ କବିତାରେ ତୋତେ ଲେଖେ ।
ଜ୍ୟୋତ୍ସ୍ନା ବିଚ୍ଛୁରିତ ନିରବ ଯାମିନୀ ଦିଏ ମୋତେ ଅଧିକାର,
ଅଣ୍ଡାଳି ଅଣ୍ଡାଳି ସ୍ମୃତିର ଗର୍ଭରୁ, ଖୋଜେ ମୁହିଁ ଅଙ୍ଗୀକାର ।
ହୋଇ ସ୍ମୃତିସ୍ନାତା ପ୍ରଣୟ ସାଗରେ ବାହୁନେ ହୋଇ ବିକଳ
ଅଜଣା କ୍ରୋଧରେ କାମୁଡ଼େ ତାଟିଆ ଯେହ୍ନେ ଅମ୍ବୁନିଧି କୂଳ ।
ଆପଣାର କୋହ ଲୁଚାଏ ଯେ ମୁହଁ, ହଜିଯାଏ ଆର୍ତ୍ତନାଦ
ପ୍ରଶାନ୍ତ ପ୍ରହରେ ନିରବତା ସାକ୍ଷୀ ଲେଖି ଦିଏ କେଇ ପଦ ।
ପାହିଲେ ରଜନୀ ବୋଳି ପାଉଡର ପିନ୍ଧେ ମୁହିଁ ହସମୁଖା,
ଅଜଣା କ୍ଷତକୁ କେମିତି ଦେଖିବ, ସମୟ ନିଏ ପରୀକ୍ଷା ।
ଆତ୍ମୀୟତା ସ୍ୱର କରେ ଯେ ବିଭୋର ଭଲ ଲାଗେ ପଥ ହୁଡ଼ା
ମୁଣ୍ଡେଇ ଚାଲୁଛି କେତେ ଦିନ ହେବ ଯନ୍ତ୍ରଣାର ବୋଝ ବିଡ଼ା ।
ହେ ପାହାନ୍ତି ଜହ୍ନ, ତୁମ କ୍ଷତ ଚିହ୍ନ, ଲୁଚାଅ କେମିତି କୁହ
କଳଙ୍କର ଦାଗ କେମିତି ଲିଭାଇ ପୁଣି ଜ୍ୟୋତ୍ସ୍ନା ବୁଣି ଦିଅ..??