STORYMIRROR

Kalandi pal

Inspirational

3  

Kalandi pal

Inspirational

ଓଠ

ଓଠ

1 min
196

ଓଠ କୁହେ କଥା ଥାଏ ମଧୁରତା

   କିଣି ନିଏ ସର୍ବ ହୃଦ

ସେଇ ଓଠ ଧାରେ କର୍କଶ କଥାରେ

   ହୃଦୟେ ଭରେ ବିଷାଦ ।।


ସେଇ ଓଠ ଦିନେ ହୋଇଥିଲା ସାନ

  କାନ୍ଦୁଥିଲା କୁଆଁ କୁଆଁ

କଥା କହିବାକୁ  ଥରି ଉଠୁଥିଲା

  ଖୁସି ମାରୁଥିଲା ଡିଆଁ ।।


ହସିଲା ଯୌବନ  ଓଠର ବରନ

   ଆକର୍ଷିତ କଲା ମନ

ଭାବ ଭଙ୍ଗୀ ତାର କରଇ ସାକାର

   ଜୀବନ ସତେ ରଙ୍ଗୀନ ।।


ଓଠର ତୁଳନା  କବିର କଳ୍ପନା

   ସଜ ଫୁଟା ଫୁଲଟିଏ

ତାକୁ କବି ଦେଖେ କବିତାଟି ଲେଖେ

   ଜୀବନ୍ତ ରୂପ ପରାଏ ।।


ଯେବେ ହସୁଥାଏ  ଝରି ପଡୁଥାଏ

   ମୁକୁତା ଗଜରାଟିଏ

ରସେ ରସିକିଆ  ମନେ ତା ଉଦିଆ

   ପୂର୍ଣ୍ଣଚାନ୍ଦଟିଏ ଉଇଁ ଯାଏ ।।


ବର୍ଣ୍ଣ ତା ମଳିନ   ହୁଏ ଦିନୁ ଦିନ

   ଝରଇ ମମତା ଝର

ସନ୍ତାନ ମୁହଁରେ  ହସ ଭରିବାରେ

   ସଦା ସେ ହୁଏ ବ୍ୟାକୁଳ ।।


ପେଟ ସହୁ ଭୋକ  ପିଠି ସହୁ ଦୁଃଖ

   ଓଠରେ ମମତା ବାଣୀ

ତା ସନ୍ତାନ ପାଇଁ  ଟିକେ ହସିଦେଇ

   ଦୁଃଖକୁ ଆଦରେ ଜାଣି ।।


ଥରିଲା ଥରିଲା   ସେଇ ଓଠ ପରା

   ଖୋଜୁଛି ଆଜି ମମତା

ଯେତେ ସେ ଖୋଜିଲେ ଜରା ନିବାସରେ

   ମିଳେ ନାହିଁ ତାର ସତ୍ତା ।।



Rate this content
Log in

Similar oriya poem from Inspirational