ଓଁମ୍ ନମଃ ଗଣେଶାୟ
ଓଁମ୍ ନମଃ ଗଣେଶାୟ


ଆହେ ଗଜାନନ ପାର୍ବତୀ ନନ୍ଦନ
ବିଘ୍ନ ବିନାଶକ ପ୍ରଭୁ ।
ଆସ ଅବତରି ଏ ଧରା ଧାମକୁ
ଜନ ତବ କୃପା ଲଭୁ ।।
ଲଡୁ ଯେ ତୁମରି ପ୍ରିୟ ଖାଦ୍ୟ ଅଟେ
ଅଟ ତୁମେ ଲମ୍ବୋଦର ।
ହସ୍ତେ ତୁମ ଖଡ୍ଗ ଲେଖନୀ ପୁସ୍ତକ
ତୁମେ ତ ଜ୍ଞାନର ଭଣ୍ଡାର ।।
ଦାନ୍ତ ଭାଙ୍ଗି ତୁମେ ଲେଖିଥିଲ ପୁଣି
ବ୍ୟାସଙ୍କର ମହାଭାରତ ।
ଏକଦନ୍ତ ପୁଣି ବୋଲାଇଲ ତୁମେ
ଆହେ ଭୋଳାନାଥ ସୁତ ।।
ବକ୍ରତୁଣ୍ଡ ରୂପ କି ମନୋହର
ଦେଖି ଆଖି ଯାଏ ଲାଖି ।
ବିଘ୍ନ ବିନାଶକ ସୂର୍ଯ୍ୟଠୁ ଚମକ
ଅଟେ ତୁମ ଦୁଇ ଆଖି ।।
ରିଦ୍ଧି ସିଦ୍ଧିଙ୍କର ପ୍ରାଣ ପ୍ରିୟ ତୁମେ
ସନ୍ତୋଷୀ ଜଣକ ପୁଣି ।
ହେ ବିନାୟକ ତୁମ ବିଶ୍ଵରୂପ
କିଏ ବା ପାରେ ବଖାଣି ।।
ପୃଥ୍ୱୀ ଠାରୁ ବଡ଼ ମାତା ଓ ପିତା ଯେ
ଶିଖିଥିଲି ତୁମଠାରୁ ।
ତୁମ ଜ୍ଞାନ ଆଲୋକରେ ଅଜ୍ଞାନ ଅନ୍ଧାର
ଦୂର ହେଉ ଏ ଧରାରୁ ।।
ଆହେ ବିନାୟକ ଏ ଧରା ପୃଷ୍ଠରୁ
ହରି ନିଅ ବିଘ୍ନ ଦୁଃଖ ।
ପୁଣି ଫେରି ଆସୁ ପ୍ରାଣୀ ଜଗତର
ହସ ଖୁସି ଆଉ ସୁଖ ।।
ଚାରି ଆଡେ଼ ଶୁଭୁ ତୁମ ଜୟ କାର
ତୁମର ହେଉ ଜୟ ।
ସବୁ ଓଠେ ଥାଉ ସେହି ଗୋଟେ ମନ୍ତ୍ର
ଓଁ ନମଃ ଗଣେଶାୟ ।।