ଓଡିଆ ପରମ୍ପରା
ଓଡିଆ ପରମ୍ପରା
ଓଡିଆପୁଅ ବୋଲି କରେ ମୁଁ ଗରବ
ବାରମାସେ ହୁଏ ପରା ତେର ପରବ
ବଡ ଠାକୁର ବଡ ଦାଣ୍ଡ ଅଛି ଯାହାର
ଦରଶନେ ସଦା ଜୀବନଟା ଧନ୍ୟ ମୋହର ।
ପଣା ସଂକ୍ରାନ୍ତିରୁ ଚଇତି ପୁନେଇଁ
କେତେ ଯାନିଯାତ ପିଠାପଣାର ସୁଆଦ
ଭୁଲିହୁଏନି କେବେ ଐତିହ ପରମ୍ପରା
ନିଗାଡି ଦେବି ତାପାଇଁ ରକ୍ତମାଂସ ସ୍ଵେଦ ।
ରଜଦୋଳି ପୋଡପିଠାର ମହକ
କୁଆଁରପୁନେଇଁର ଶୀତଳ ଜହ୍ନ ଆଲୋକ
କାର୍ତ୍ତିକରେ ଡଙ୍ଗାଭସା ଥୁରୁଥୁରୁଶୀତ
ମାର୍ଗଶୀରେ ଲକ୍ଷ୍ମୀଙ୍କର ମାଣବସା ଗୀତ ।
ମାଘେ ଅଗ୍ନି ଉତ୍ସବ ହାଡ ଭଙ୍ଗା ଶୀତ
ଭାଦ୍ରବେ ଖୁଦୁରୁକୁଣୀ ଓଷାର ଗୀତ
ଗୁଣୁଗୁଣୁ ହେଉଥାଏ ମନ ମୋର ସଦାକାଳେ
ଭଲପାଏ ଗାଁମାଟିକୁ ସଞ୍ଜସକାଳେ ।
ବସନ୍ତରେ ମୁଣ୍ଡେ ବୋଳି ନାଲି ଅଭିର
ଦୋଳ ମେଲଣ ସାଥେ ନାଚି ଅଧୀର
ଚଇତି ପୁନେଇଁର ଘୋଡା ନାଚ
ଆହା କି ସତେ କେତେ ମନୋହର ।
ପ୍ରଥମାଷ୍ଟମୀରେ ପିନ୍ଧି ନୂଆ ପୋଷାକ
ପୂଜାପାଉ ପରିବାରେ ଜ୍ୟେଷ୍ଠ ହେବାର
ଚିତୋଉ ଅମାବାସ୍ୟାରେ ଭସାଉ
ସରୁ ଚକୁଳି ନଈନାଳ ଧାର ।
ଶାମ୍ଵ ଦଶମୀରେ ବାଢି କେତେ କେତେ
ମିଠା ପିଠା ଦରବ ସୁରୁଜ ଦେବତା ପାଇଁ
ଲମ୍ଵା ଆୟୁଷ ମାଗିଥାଉ ମନେସୁମରି
ଏମିତି ପରମ୍ପରା ଦେଖିନି କେବେ କାହିଁ ।
ଅକ୍ଷୟତୃତୀୟାରେ ଅକ୍ଷୀମୁଠି ନେଇ
ଅନୁକୂଳ କରେ ଚଷାଭାଇ ତା କ୍ଷେତେ
ସବୁ ପରମ୍ପରା କୃଷି ପାଇଁବନ୍ଧା
ଗଢିଛନ୍ତି ପୁର୍ବପୁରୁଷ ଆମ ପାଇଁ ସତେ ।
ଧନ୍ୟ ଓଡିଶାର ମାଟି ଜନମିଲି ମୁହିଁ
ଅମୃତ ବନଗିରି ସବୁଜିମା କୋଳେ
ତା ଧୂଳିକୁ ମାରି ଚନ୍ଦନ କରି ସଦା ମଥାରେ
ସରଗ ସୁଖ ଲଭୁ ଯେମିତି ଇହକାଳେ ।
