ଓଡିଆ ଘର ଖାଦ୍ୟ କବିତା
ଓଡିଆ ଘର ଖାଦ୍ୟ କବିତା
ଚନ୍ଦ୍ରପୁରର ଚୂଡା କଦମ୍ବ
ବାଲେଶ୍ଵରୀ ଛେନାଗଜା
ଭଦ୍ରକର ପାଳୁଅ ଲଡୁ ଓ
ଯାଜପୁର ବାରମଜା ।
ପୁରୀର ଖଜା
ବଲାଙ୍ଗୀର ଚାଉଳ ବରା
ମାଣିକପାଟଣା ବସାଦହି
ସମ୍ବଲପୁର ସରସତିଆ
ମନକୁ ସେ ନିଏ ମୋହି ।
ଓଡିଆ ଘରର ଶାଗମୁଗକୁ
ଖୋର୍ଦ୍ଧା କୋରା ଖଇ
କଖାରୁ ଶାଗ ଖରଡି ସାଙ୍ଗକୁ
କଦଳୀ ଭଣ୍ଡା ମଞ୍ଜା ରାଇ ।
ନୟାଗଡ ଛେନାପୋଡ
ପୁରୀର ଖଣ୍ଡ ଛେନା
କେନ୍ଦ୍ରପଡା ରସାବଳୀ
ଖଡିଆଳ ବୁନ୍ଦି ଦାନା ।
ବରହମପୁର ସୁଜି ଉପମା ଆଉ ପୁରି
ସକାଳୁ ସୁଆଦିଆ ଖିରି
ସାଲେପୁର କ୍ଷୀରିମୋହନ ସାଥୀକୁ
ସାଲେପୁର ରସଗୋଲା ।
କଟକ ପ୍ରସିଦ୍ଧ ଦହିବରା ସେତ
ସ୍ବାଦରେ ଏକ ନମ୍ବରୀ
ଯେତେ ଖାଉଥିଲେ ମନରୁ କେବେ
ନ ଯାଏ ସେ ପାସୋରି ।
ମିଠା ପିଠାର ଜମଇ ଆସର
ଆସିଲେ ପରବ ପର୍ବାଣି
ବିଭିନ ପ୍ରକାର ପିଠାପଣା କରି
ପରଷେ ବୋହୂ ଓଡିଆଣୀ ।
ଚିତଉ ହେଉ କି ହେଉ ମଣ୍ଡା ପିଠା
କି ହେଉ ସେ ଏଣ୍ଡୁରି ପିଠା
ଗାଁରୁ ସହକ ମହକି ଉଠେଲୋ
ଆହାଃ କି ଲାଗଇ ମିଠା !
ପିଆଜି ପକୁଡି ପୁଣି ବିରିବରା
ଢେଙ୍କାନାଳ ଗଲେ ପାଇବୁ
ଯେତେ ଖାଇଲେ ବି ବୁଝିବନି ମନ
ଫେରି ଆସିଲେ ତୁ ଝୁରିବୁ ।
ମାଛ ଭଜା ସଙ୍ଗେ କଞ୍ଚାଲଙ୍କା ଦୁଇଟି
ଚକଟି ଖାଇବୁ ସାଙ୍ଗ
ତଥାପି ତୋହରି ମନ ନ ଛାଡିଲେ
କରିବୁ ଆମ୍ବୁଲ ପାଗ ।
ଆମ୍ବୁଲ ଝୋଳକୁ ଯେତେ ହାମ୍ପୁଡିଲେ
ମନ ଏ କେବେ ପୁରେନା
ଯେତେ ଖାଉଥିଲେ
ଇଛା ଏ ମନରୁ ସରେନା ।