STORYMIRROR

Sivaram Thakur

Others

3  

Sivaram Thakur

Others

ନୂଆଖାଇ ଜୁହାର୍

ନୂଆଖାଇ ଜୁହାର୍

1 min
700

ସ୍ନେହ ପ୍ରୀତି ଭରା

    କଅଁଳିଆ ଖରା

        ବସୁନ୍ଧରା ଆଜି ହସେ,

ପ୍ରେମଗୁଚ୍ଛ ନେଇ

    ଆସେ ନୂଆଖାଇ

        ଚହଟେ ତାର ସୁବାସେ ॥୧॥ 


ପର ଆପଣାର

    ହୋଇବେ ଏଥର

        ଭୁଲି ଭେଦ ଭାବ ସର୍ବେ ,

ସଭିଙ୍କୁ ସେ ତୋଳି

    ଏକ କରେ ବୋଲି

        ଗଣା ଏ ଗଣ ପରବେ ॥୨॥


ଥାଉ ବା ନ ଥାଉ

    ମାସକ ଆଗରୁ

        କିଣା ହୁଏ ବସ୍ତ୍ର ନୂଆ,

ଲିପା ପୋଛା ଘର

    ହୁଏ ସଭିଙ୍କର 

        ମିତ ଭାର ଦିଆନିଆ ॥୩॥  


ଭାଦ୍ରବ ମାସରେ 

    ପଞ୍ଚମୀ ତିଥିରେ

        ସର୍ବେ ଏକଜୁଟ ହୋଇ ,

ନୂତନ ବସନ

    କରି ପରିଧାନ

        ବସିଯାନ୍ତି ଧାଡି ହୋଇ ॥୪॥


ନୂଆ ଧାନ ଚୂଡା

    ପତ୍ରେ ହୁଏ ବଢା

        ସର୍ବେ ବସି ପୂର୍ବ ମୁଖେ,

ଈଷ୍ଟ ଦେବୀ ସ୍ମରି

    ହରିବୋଲ ବୋଲି

        ନବାନ୍ନ ଭୁଞ୍ଜନ୍ତି ସୁଖେ ॥୫॥


ଈଷ୍ଟ ଗୁରୁଜନେ

    ପ୍ରଣମି ଚରଣେ

        ଗାଆଁ ସଭି ଘର ବୁଲି ,

ଖାଇ କ୍ଷୀରୀ ପୁରୀ

    ପେଟ ଯାଏ ଭରି

        ସେ ମଜା ହୁଏନି ଭୁଲି ॥୬॥


କଳାହାଣ୍ଡି ବୀର

    ବାଦ୍ୟ କ୍ଷତ୍ରିୟର

        ଘୁମୁରା ଅଟଇ ରାଜା ,

ସୁର ମୂର୍ଚ୍ଛନାରେ  

    ନାଚନ୍ତି ଅଧିରେ

        ସାଙ୍ଗ ମେଲେ ନେଉ ମଜା ॥୭॥  


ନୂଆଖାଇ ବାସି

    ମନେ ଦିଏ ଖୁସି 

        ସକାଳ ପାହିଲେ ହେଲା ,

ଭାଷା କାଢୁ ନୀର

    ବିକେ ସାହୁକାର

        ସାଙ୍ଗେ ଚଖନା ସଂତୁଳା ॥୮॥


 ହୋଇ ଆଗଭର

    ଯାଉଁ ମାମୁଁ ଘର

        ତିଆସି ମାନୁ ସେଠାର ,

ନିଅ ନୂଆଖାଇ

    ଜୁହାର ହେ ଭାଇ

        ସଭିଙ୍କୁ ମୋର ଜୁହାର୍

        ଘେନ, ମୋ ନୂଆଖାଇ ଜୁହାର୍ ॥୯॥


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍