ନୂଆ ସେ ପୁରୁଣା
ନୂଆ ସେ ପୁରୁଣା
ବାସର ଶେଜର ମଉଳା ଫୁଲରେ
ଆଉ କି ଆଦର ଥାଏ
ଘଣ୍ଟାକ ପ୍ରହରୁ ମହକୁ ଥିଲା ସେ
ସେ କି ଆଉ କଥା କୁହେ ।
କେଉଁ ବଗିଚାର ଶୋଭା ସେ ବଢଇ
ପବନରେ ଖେଳୁଥିଲା
ମାଳୁଣୀ ହାତର ବୃନ୍ତଚ୍ୟୁତ ହୋଇ
ପସରାରେ ଶୋଇଗଲା ।
ଗଣିକା ଶେଜରେ ନାୟିକା ଗଭାରେ
ସାଜି ବି ସେ ହସୁଥିଲା
ମଉଳିଲା ତନୁ ନିରାଦର ପାଇ
ଅଳିଆରେ ଗଣା ହେଲା ।
ଯେଉଁ ଫୁଲ ଦିନେ ନିଜ ଆକର୍ଷଣେ
ସୁଗନ୍ଧରେ ପରିଚିତ
ଘଡିଏ ମୋହରେ ବାନ୍ଧି ନେଉଥିଲା
ରୂପ,ଗୁଣରେ ଆକୃଷ୍ଟ ।
ଆଜି ମାଟି ହୋଇ ମାଟିରେ ମିଶିବ
ଭୂଲିବେ ତାହାର ସ୍ଥିତି
ନବ କଳିକାର ହେବ ଆଗମନ
ଫିକା ପଡିବ ତା ପ୍ରୀତି ।
କେହି ନୁହେଁ ଏଠି ଚିରସ୍ଥାୟୀ ପୁଣି
ବନ୍ଧା ସର୍ବେ ଅଳୀକରେ
ଫୁଲ କଣ କେବେ ଡାଳର ଡେଫଁରେ
ଝୁଲୁଥିବ ଅହଂକାରେ ।
ମଣିଷ ଜୀବନ ଫୁଲ ପରି ସମ
କ୍ଷଣିକ ସେ ଉତ୍ତେଜନା
ସ୍ଥବିର ବୟସ ମଉଳା ଫୁଲ ସେ
ମୃତ୍ୟୁ ସମ ହୁଏ ଗଣା ।
ଆଜି ଫୁଟି ପୁଣି ମହକ ଛୁଟେଇ
ଜନ୍ମ ଏ ସାର୍ଥକ ହେଉ
କାହୁଁ ଏ ଦୁର୍ଲ୍ଲଭ ଜୀବନ ଲଭିବା
ଅନିଶ୍ଚିତ ପରମାୟୁ ।
