ନୁହେଁ ବନ୍ଦୀ କା' ବକ୍ଷରେ
ନୁହେଁ ବନ୍ଦୀ କା' ବକ୍ଷରେ


ନିଷ୍ପେସିତ ମୋର ଅଭୁଲା ଅତୀତ
ବିକଳାଙ୍ଗ ବର୍ତ୍ତମାନ,
ଆସ୍ଫାଳିତ ମୋର ରୁକ୍ଷ ଅନ୍ତଃସ୍ୱର
ଭବିଷ୍ୟତ ଶବ୍ଦଶୂନ୍ୟ ।
କଳଙ୍କିତ କର୍ମ ଦର୍ଦରାକ୍ତ ଧର୍ମ
ସଙ୍କୁଚିତ ସମର୍ପଣ,
ନିନ୍ଦିତ କୁତ୍ସିତ ମିଥ୍ୟା ଅପକର୍ମ
କରୁଛି ଆତ୍ମ ଧର୍ଷଣ ।
ଜର୍ଜରିତ କରେ କର୍କଶ କଟାକ୍ଷ
ବାସ୍ତବତା ଭିତ୍ତିହୀନ,
କହି କି ପାରିବ,ହେ ରୁଦ୍ର ରୁଦ୍ରାକ୍ଷ
କାହିଁକି ଏ ଅପମାନ ?
ଅପମାନ ଯେବେ ଆଙ୍କିବାର ଥିଲା
କାହିଁକି କଲ ଭିଆଣ,
ମୋ' କାବ୍ୟପୃଷ୍ଠାର ଶବ୍ଦକୁ ଶବ୍ଦକୁ
କାହିଁକି ଦେଲ ଜୀବନ !
ଜୀବନ ପତ୍ରକୁ ସୂଚୀପତ୍ର ଦେଇ
ବର୍ଣ୍ଣିଲ ଭିତ୍ତି ପ୍ରସ୍ତର,
ରକ୍ତ ଗୋଲାପକୁ କଣ୍ଟାରେ କ୍ଷେପିଲ
ଦେଇ ରକ୍ତାକ୍ତ ଜହର ।
ତୁମ ଜହରରୁ ଜନ୍ମ ନେଇଥିଲା
ମୋ' ପାଇଁ ଅର୍କ ଅମୃତ,
ତୁମ ଜହର ଯେ ଜହର ନଥିଲା
ଥିଲା କାବ୍ୟ ରସାମୃତ ।
ସ୍ବପ୍ନମାନେ ସବୁ ଶଙ୍କି ଶଙ୍କି ହେଲେ
ଦିବ୍ୟ ସର୍ବାଙ୍ଗ ସୁନ୍ଦରୀ,
ତୁମ ଅର୍ପଣର ସିକ୍ତ ତର୍ପଣରେ
ମର୍ତ୍ତ୍ୟର ତନ୍ମୀ ଅପ୍ସରୀ ।
ମୋ' କଳ୍ପ ସୁନ୍ଦରୀ କଳ୍ପି ଅସୁମାରୀ
କଲା କାବ୍ୟକୁ କବଚ,
ସେଇ କବଚର କିଞ୍ଚିତ ପରଶେ
ବିବର୍ଣ୍ଣ ମୋ ଇତିହାସ ।
ବିବର୍ଣ୍ଣ ହୁଏତ, ବିଷର୍ଣ୍ଣ ମୁଁ ନୁହେଁ
ନୁହେଁ ବନ୍ଦୀ କା' ବକ୍ଷରେ,
ବନ୍ଦିନୀ ତ ତୁମେ ସ୍ୱୟଂ ଚରିତ୍ରର
ଜର୍ଜରିତ ଅହଂକାରେ ।