ନଥାଏ ଛଳନା କିଛି
ନଥାଏ ଛଳନା କିଛି
ପ୍ରେମରେ ନଥାଏ ଛଳନାର ମୂଲ୍ୟ
ଈଶ୍ୱରୀୟ ପ୍ରେମ ଏହୁ
ଛଳନା ରଖିଣ ପ୍ରେମଟି ଯାହାର
ମହାପାପୀ ଅଟେ ସେହୁ।
ସତୀ ଅନୁସୟା ଦିଏ ପ୍ରେମ ଶିକ୍ଷା
ସ୍ୱାମୀ ପାଇଁ ସମର୍ପଣ
ପତି ଆବଶ୍ୟକ ପୂରଣ ନିମନ୍ତେ
ଦେଇଛି ଭବେ ପ୍ରମାଣ।
ଛଳନା ନଥିଲା ପ୍ରେମରେ ତାହାର
ସ୍ୱାମୀ ଭକ୍ତି ଚିରଦିନ
ଇତିହାସ ହେଲା ଜନତା କଲ୍ୟାଣେ
ଗୁଞ୍ଜୁ ଅଛି ଅନୁକ୍ଷଣ।
ସାବିତ୍ରୀ ସତୀର ପତିବ୍ରତା ଧର୍ମ
ପ୍ରେମ ଶ୍ରଦ୍ଧା ସମର୍ପଣ
ମୃତ୍ୟୁ ସ୍ୱାମୀକୁ ସେ ଜୀବିତ କରିଲା
ରହିଛି ପ୍ରେମ ପ୍ରମାଣ।
ସାବିତ୍ରୀ ଦେବୀଙ୍କ ସ୍ୱାମୀ ସତ୍ୟବାନେ
ଥିଲାଟି ନିଃସ୍ୱାର୍ଥ ପ୍ରେମ
ଦୁଇ ଆତ୍ମା ଥିଲା ଏକ ଆତ୍ମା ହୋଇ
ଜଗେ ଦିଏ ଶିକ୍ଷା ପ୍ରେମ।
ପ୍ରେମ ଶକ୍ତି ବଳୁ ଜୀବିତ କରିଲେ
ସ୍ୱାମୀ ସତ୍ୟବାନ ତାଙ୍କ
ପ୍ରେରଣା ସେ ହେଲା ମନୁଷ୍ୟ ସମାଜେ
ସ୍ୱାମୀ ପ୍ରତି ପ୍ରେମ ତାଙ୍କ।
ଛଳନା ଥିଲେ କି ଫେରି ପାଇଥାନ୍ତା
ମୃତ୍ୟୁ ସ୍ୱାମୀକୁ ତାହାର
ଦୁଇ ଆତ୍ମା ଥିଲା ଏକ ଆତ୍ମା ହୋଇ
ପ୍ରେମ ଭକ୍ତି ଓ ଶ୍ରଦ୍ଧାର।
ପ୍ରେମ ଆଗେ ହେଲେ ବାଧ୍ୟ ଯମରାଜ
ଫେରେଇ ଦେଲେ ସ୍ୱାମୀକୁ
ପ୍ରଶଂସା କରିଲେ ସତୀ ସାବିତ୍ରୀଙ୍କୁ
ଜୀବିତ କଲେ ସ୍ୱାମୀଙ୍କୁ।
ଛଳନା ନ କରି ପ୍ରେମ ଭକ୍ତି କର
ସତୀ ସାବିତ୍ରୀଙ୍କ ପରି
ସ୍ମରଣୀୟ ହେବ ପ୍ରେମ ଶ୍ରଦ୍ଧା ତୋର
ସତୀ ଅନୁସୟା ପରି।
ପ୍ରଭୁ ଭକ୍ତି ରହୁ ହୃଦୟରେ ତୋର
ରହୁ ଗୁରୁଜନେ ଭକ୍ତି
ପ୍ରେମ ଶ୍ରଦ୍ଧା ରହୁ ଜନତା ସେବାରେ
ରହୁ ପିତୃମାତୃ ଭକ୍ତି।
ନିଃସ୍ୱାର୍ଥ ପ୍ରେମରେ ଛଳନା ନରହୁ
କର୍ତ୍ତବ୍ୟର ମନ୍ତ୍ର ରହୁ
ରହୁ ଭକ୍ତି ନିତ୍ୟେ ନିଜ ରାଷ୍ଟ୍ର ପ୍ରୀତି
ସେବା ପ୍ରେମ ଶ୍ରଦ୍ଧା ରହୁ।
ଛଳନା ନ ରହୁ ନିଜ କର୍ମପଥେ
ଆତ୍ମନିର୍ଭରଟି ରହୁ
ଆତ୍ମବିଶ୍ୱାସରେ ରହୁ ସତ୍ୟ ଧର୍ମ
ଜୀବନେ କର୍ତ୍ତବ୍ୟ ରହୁ।
