ନରେନ୍ଦ୍ର ପୁଷ୍କରିଣୀର ବେଦନା
ନରେନ୍ଦ୍ର ପୁଷ୍କରିଣୀର ବେଦନା
କେମିତି ସହିଵି ଏ ଦୁଃଖ କାଳିଆ
କେମିତି ସହିଵି କହ ତୁ ମତେ
ଏକୋଇଶ ଦିନ ତୋ ଚନ୍ଦନଯାତ
ନ ହେଲା କାହିଁକି କହ ତୁ ସତେ
ନରେନ୍ଦ୍ର ନୁହେଁ ମୁଁ ହୁଅଇ ଯମୁନା
ଯେତେ ବେଳେ କରୁ ତୁ ନାଵକେଳି
ସଙ୍ଗେ ଧରି ଆସୁ ଗୋପାଙ୍ଗନାଗଣ
ବାଜେ ବାଜା ପୁଣି ବୀର କାହାଳୀ
ଆସିବନି ଆଉ ତୋର ଚଉଦଳ
ବାଜିବନି ଆଉ ଘଣ୍ଟ ଘଣ୍ଟା ଖୋଳ।
ହେବ ନାହିଁ ଆଉ ତୋର ଚାପ ଖେଳ
ଲାଗିବ ନାହିଁ ଟି ଭକତ ଗହଳ
ପବିତ୍ରହୁଏ ମୁଁ ତୋର ସ୍ପର୍ଶ ପାଇଁ
ତୁ ନ ଆସିଲେ ମୋତେ କେ ଲୋଡଇ
କହ ରେ କାଳିଆ କରିଲି କି ଦୋଷ
ମୋ ଉପରେ ହେଲୁ କିମ୍ପା ତୁହି ରୋଷ।
ବଡ଼ଦାଣ୍ଡ ଶୋଭା ଦିଶୁଛି ମଳିନ
ଉଡୁନି ପତାକା ,ବାସୁନି ଚନ୍ଦନ।
ଛତ୍ରଚାମରକୁ ଧରିବା ନିମନ୍ତେ
ଆତୁର ହୋଇଣ ଭକ୍ତ ଏବେ କାନ୍ଦେ
ଭକତର ଦୁଃଖ ସହୁଛୁ କିପରି
ମନରୁ ସଭିଙ୍କୁ ଦେଲୁ କି ପାଶୋରି।
ନନ୍ଦା ଆଉ ଭଦ୍ରା ସେ ଦୁଇ ନଉକା
କରିଛନ୍ତି କାହ୍ନୁ ତୋହର ପ୍ରତୀକ୍ଷା
ଚନ୍ଦନ ତୁଳସୀ କର୍ପୁର ଦୟଣା
ଦେହେ ବୋଳି ତାଙ୍କ ଧନ୍ୟ କରିଯା
ଶ୍ଵେତ ଚାନ୍ଦୁଆରେ ହୋଇସେ ସଜ୍ଜିତ
ରହିଛି ଚାହିଁ ସେ ତୋହରି ଯେ ପଥ
ମଦନସୁନ୍ଦର ମୋହନବେଶରେ
ଭୁ ଦେବୀ ଶ୍ରୀ ଦେବୀ ଅଛନ୍ତି ସଙ୍ଗରେ
ନାଲିରଙ୍ଗ ଦିଶେ ଚାନ୍ଦୁଆ ଦୂରରୁ
ସେ ନାଵରେ ବସି ଥାନ୍ତି ମହାଗୁରୁ।
ପଞ୍ଚ ପାଣ୍ଡବଙ୍କ ନାମେ ପରିଚିତ
ପଞ୍ଚମହାଦେବ ଅଟନ୍ତି ବିଖ୍ୟାତ।
ଜମ୍ବେଶ୍ୱର ଯୁଧିଷ୍ଠିରଙ୍କ ସ୍ୱରୂପ
ମାର୍କଣ୍ଡେଶ୍ୱର ଯେ ମଧ୍ୟମ ପାଣ୍ଡବ।
ଅର୍ଜୁନ ଅଟନ୍ତି ପ୍ରଭୁ ଲୋକ ନାଥ
କପାଳ ମୋଚନ ନାମରେ ନକୁଳ
ପ୍ରଭୁ ନୀଳକଣ୍ଠ ସହଦେବ ରୂପେ।
ତାଙ୍କ ସହ ଥାନ୍ତି ରାମ କୃଷ୍ଣ ଦୁହେଁ
ନରେନ୍ଦ୍ର ଜଳରେ ବିହାର କରନ୍ତେ।
ଗ୍ରୀଷ୍ମର ପ୍ରଖର ଉତ୍ତାପ ସଂନ୍ତାପେ
ଲଗାଇ ଚନ୍ଦନ କର୍ପୁର ଦେହରେ
ଶୀତଳ କରନ୍ତି ଶରୀର ସତ୍ୱରେ।
ନିଜକୁ ମଣିଲି ବୋଲି ଭାଗ୍ୟବାନ
ମନେ ମୋ ଆସିଲା କିବା ଅଭିମାନ
ସେଥି ପାଇଁ ଦେଲୁ ଦଣ୍ଡ ମୋତେ ଅବା
କାନ୍ଦୁଛି ଗୁମୁରି ନ କରି ତୋ ସେବା
ଶୂନ୍ୟ ଆକାଶ ଶୂନ୍ୟ ପୁଣ୍ୟକ୍ଷେତ୍ର
ଶୂନ୍ୟ ମହା ଶୂନ୍ୟ ଦିଶଇ ସର୍ବତ୍ର।
କରିଅଛି ତୋର ପ୍ରତୀକ୍ଷା ଆତୁରେ
ଆସିବୁ ବୋଲି ଅକ୍ଷୟ ତୃତୀୟାରେ ।