ନିଶିରାଣୀ
ନିଶିରାଣୀ
ଓଠ ତଳେ ଜାକି ଜୁକି ହସଟିଏ ନେଇ
ଖସି ଆସେ ଆକାଶରୁ ଓଢ଼ଣୀ ଓଢ଼ାଇ
ଗଭାରେ ତା ଝଲମଲ ଚାନ୍ଦଟିଏ ଖୋସି
ତାରା ଗହଣରେ ଅବତରେ ହସି ହସି ।
ନିତି ପ୍ରତି ଆସଇ ଠିକ୍ ଏଇ ସମୟରେ
ଭରି ଆଶା ଆଶଙ୍କା ସବୁରି ହୃଦୟରେ
କାହା ପ୍ରାଣେ ଜାଳିଦିଏ ପ୍ରୀତିର ସଳିତା
କାହା ହୃଦେ ପୁଣି ଭରେ ରିକ୍ତ ଅସ୍ଥିରତା ।
ସ୍ମୃତି ହୋଇ ଓହଳେ ସେ କାହା ମାନସରେ
ପୁଣି କାହା ପାଇଁ ଶିହରିତ ସ୍ୱପ୍ନ ଧାରେ
ପ୍ରତୀକ୍ଷାରେ ରୁହେ ଅଭିସାରୀ ଆନମନା
ପ୍ରତିକ୍ଷଣ ଭରି ମନେ ନବ ଉତ୍ତେଜନା ।
ନିଶୁନ ସାଗର ବେଳା ଭୁଇଁର ପ୍ରତ୍ୟାଶା
ଭାବୁକର ସୁପ୍ତ ମନେ ଜଗାଏ ଜିଜୀବିଷା
ଅସ୍ପଷ୍ଟ ଆଲୋକେ ସ୍ପଷ୍ଟ ଭାବର ପ୍ରକାଶ
ଅନାୟାସେ ଜୟ ଲଭେ କବିର ପ୍ରୟାସ ।
ମିଥ୍ୟା କପୋଳ କଳ୍ପିତ କାହାଣୀ ଅନେକ
ଯୋଡ଼ିଯାଏ ନିଶି ସାଥେ ଭ୍ରାନ୍ତ ଅମୂଳକ
ଅପବାଦର ଡିଣ୍ଡିମେ ଭାରାକ୍ରାନ୍ତ ହୃଦେ
ଅବିରତ ଚାଲେ ନିରବରେ ପାଦେ ପାଦେ ।
ପ୍ରହର ପ୍ରହର କରି ବିତିଯାଏ ଯେବେ
ନିଶାଚରେ ମାତିଯାନ୍ତି ଅତି ଉପଦ୍ରବେ
ଅଭାବିତ ଅଘଟଣ ଘଟିଯାଏ କେତେ
ମନ ପ୍ରାଣ ସଂକୁଚିତ ହୁଏ ଭୀତତ୍ରସ୍ତେ ।
ତଥାପି ନିଶି ସଭିଙ୍କ ଅତି ଆପଣାର
ନାନା ବିଧେ ଅନୁଭବେ ସମୟ ଝଙ୍କାର
ସଭିଏଁ ପାଗଳ ସତେ ନିଶିର ନିଶାରେ
କିଏ ଜୀଏଁ ସ୍ୱପ୍ନରେ ତ କିଏ ଉଜାଗରେ ।
ଟି.ଦୁର୍ଗା ପ୍ରସାଦ ରାଓ
