STORYMIRROR

Krushnapriya Mohapatra

Others

3  

Krushnapriya Mohapatra

Others

ନିଶୀଥ ସୂର୍ଯ୍ୟ

ନିଶୀଥ ସୂର୍ଯ୍ୟ

1 min
279

    


ଲହୁରେ ଗଢିଲା ଘର ଲୁହରେ ନୁହେଁ

ସୁଖର କଢିରେ ଭରି,ଫୁଲରେ ସଜାଏ

ମନ ବଗିଚା ଯେ ଭରା,ସବୁଜ ରଙ୍ଗରେ

କଢ଼ି ଫୁଟି ମହକିଲା, ଘର ଅଗଣାରେ।


ଶୁଭ୍ରସ୍ନିଗ୍ଧ ପ୍ରାତଃ ଆସେ ନୁଆ ଆଶା ନେଇ।

ରବି ଙ୍କ କିରଣ ଦିଏ, ତନୁ ମନ ଧୋଇ।

ଚକ୍ ଚକ୍ ରୂପା ରଙ୍ଗେ, ମଧ୍ୟାହ୍ନ ଝଲସେ।

ପୂର୍ଣ୍ଣିମା ର ଜହ୍ନ ଉଇଁ ସାୟାହ୍ନ ଉଲ୍ଲସେ ।


କ୍ଷଣ ପ୍ରତିକ୍ଷଣ ଆଉ ଦିବା, ରାତ୍ର, ପକ୍ଷ

ମାସ ବର୍ଷ ବିତେ, ବିତେ ଆଉ ଏକ ବର୍ଷ।

କେତେ କେତେ ଅପେକ୍ଷାର ୠତୁ ବିତିଯାଏ,

ମନର ଆଶା, ନିରାଶା ଅଧା ରହି ଯାଏ।


ମନର ମିତ ନୁହେଁ ସେ ମନ ଜାଣିନେବ,

ହୃଦୟ ଜିଣିବ ଆଉ, ହୃଦେ ବସାଇବ ।

ଦୈହିକ ଆକାଂକ୍ଷା ଆଉ ଜୈବିକ ଆନନ୍ଦ,

ଲଭିବ ଇଚ୍ଛା, କେବଳ ସ୍ୱାର୍ଥେ ହୁଏ ଅନ୍ଧ।


ପଚାରେ କି ମଧୁମକ୍ଷୀ,ସରାଗେ ଫୁଲକୁ,

ପ୍ରେମ ସମ୍ଭାଷଣେ ମଜ୍ଜି ଶୋଷି ନିଏ ମଧୁ ।

କ୍ଲାନ୍ତ ଦେହମନେ ତାର ଥାଏ ଟିକେ ଆଶା,

କେବେ ତ ହୋଇବ ଦିନେ ଅଦିନ ବରଷା।


ବିତଇ ନିରବେ ନିଶି, ଛଳନାରେ ଦିନ।

ମନକୁ ରଙ୍ଗେଇ ଥାଏ, ସ୍ୱପ୍ନର ଫଗୁଣ।

ଫଗୁଣ ଦିଅଇ ଯେବେ ଅନେକ ଯାତନା

ଜହ୍ନ ସଙ୍ଗେ କାଟେରାତି ,ପିଇ ସେ ଜୋଛନା।


ନିଦାଘର ନିଷ୍ଠୁରତା ଅତି ତା ନିଜର,

ଆଖି ଲୁହ ଝରେ ଯେହ୍ନେ ବରଷାର ଧାର।

ଶୀତ କାକରରେ ତାର ବଦଳେନା କିଛି

ନିରୁତା ପ୍ରେମର ଭାଷା ନିଜେ ସେ ବୁଝିଛି।


ବିତାଏ ଜୀବନ ଖାଲି, ଟୋପା ଟୋପା ଝରି,

ଆଗାମୀ ସକାଳ ଅବା ଆସୁ ନୁଆ କରି।

ଏତିକି ନ ଥିଲା ତାର ସକାଳର ସ୍ବପ୍ନ

ଅବା ହେଉ ଲାସ୍ୟମୟୀ ରାତ୍ରୀ ଆଗମନ।

ନିସ୍ତରଙ୍ଗ ଏ ଦୁନିଆଁ, ତା ପାଇଁ ସ୍ବୀକାର୍ଯ୍ୟ

ଅପେକ୍ଷା କରିଛି ଆସିବ କି" ନିଶୀଥ ସୂର୍ଯ୍ୟ"।



Rate this content
Log in