ନିରବ ଶ୍ଵାନ
ନିରବ ଶ୍ଵାନ
ଖଣ୍ଡେ ଶୁଖିଲା ରୁଟିର ମୂଲ୍ୟ
କେମିତି ବୁଝିବ ମାର୍ବଲର
ଚାକଚକ୍ୟରେ ରହୁଥିବା ମଣିଷ
ଭୋକିଲା ପେଟର ଦାଉ
ସେ କାହୁଁ ବୁଝିଵ ଯାହାର ନିତି
ପେଟ ପୁରେ ଖିରି ପୁରୀରେ
ଶୁଖିଲା ରୁଟିର କେତେ ଯେ
ମହତ୍ତ୍ଵ ସେହିଁ ଜାଣିଛି
ଯେ ଦୀର୍ଘଦିନ ପରେ ପେଟକୁ
ଦାନାଟେ ପାଇଛି
ଯେଉଁ ଠି ଶ୍ବାନ ବି ଶୁଏ
କୋମଳ ଶଯ୍ୟାରେ
ମଣିଷ ନିଜ ଅପେକ୍ଷା ବେଶୀ ଯତ୍ନ
ନିଏ ପାଳିତ ଶ୍ଵାନର
ତା ପାଇଁ ସାଇତି ରଖି ଥାଏ
ଦାମୀ ଖାଇବା ସବୁ
କାଳେ ତାର ସେବା ପାଇଁ ଖଞ୍ଜା
ହୋଇ ରହିଥାନ୍ତି ଚାକର ପୂଝାରୀ
ହେଲେ ବାହାରେ ବୁଲାବୁଲି କରି
ନିଜ ପାଇଁ ଦିନକର ଖାଦ୍ୟ
ଯୋଗାଡ଼ କରି ପାରୁ ନ ଥିବା
ସେ ଶ୍ବାନ କିଛି ଖାଇବା ଆଶାରେ
ଵଲଵଲ କରି ବିକଳ ହୋଇ
ଚାହିଁ ରହିଥାଏ ମଣିଷ ମୁହଁକୁ
ହେଲେ ପ୍ରତି ବଦଳରେ ମିଳେ
ତତଲା ତେଲ ଛଟା ତ କେବେ
ଢେଲାପଥର ର ବର୍ଷା
କି ବିଚିତ୍ର ମଣିଷ ସତେ !
ପଶୁ ବୋଲି କ'ଣ ବଞ୍ଚିବାର
ଅଧିକାର ନାହିଁ ତା'ର
ତମେ ତ ମାନବ ଶ୍ରେଷ୍ଠ
କିଛି ତ ଦୟା ରଖ ମନରେ
ଖାଦ୍ୟ ନହେଲେ ନାହିଁ ଟିକେ
ବିଶ୍ଵାସ ଆଉ ଆଶ୍ଵାସନା ତ ଦିଅ
କିଛି କହିବା ପାଇଁ ସିନା ପାଟି ଖୋଲେନି
କିନ୍ତୁ ସବୁ କିଛି ବୁଝି ପାରିବାର ହୃଦୟ ଟେ
ତ ଅଛି ଆମମାନଙ୍କର
ପଟେ ଶୁଖିଲା ରୁଟିରେ ବି
ଦିନ ରାତି ଜଗି ରହିଥିବୁ ତୁମକୁ
ଲାଙ୍ଗୁଳ ବାଡ଼େଇ ଘୂରି ବୁଲୁଥିବୁ
ତୁମ ଆଗ ପଛ
ସ୍ନେହର କେଇପଦ କଥାରେ
ଚୁ ଚୁ ଡାକିଦେଲେ
ଦଉଡି ଆସିବୁ ତୁମ ପାଖକୁ
ତୁମ ର ବିଶ୍ବସ୍ତ ସାଜି
ତୁମ ଘରେ ଅନଧିକାର ପ୍ରବେଶ
କରିବାର ଉଦ୍ୟମ କରିବୁନି କେଵେ
ଘର ଅଗଣାରେ ଜାଗାଟେ ନ ଦିଅ
ହେଲେ ଘର ବାହାରେ ତୁମ ଅପେକ୍ଷାରେ
ଜଗି ବସିବାର ନିର୍ଭର
ପ୍ରତିଶ୍ରୁତିଟେ ତ ଦିଅ.....
( ସୁନିତା ବାରିକ )