ନିରବ ପୃଷ୍ଠା ନିର୍ଦ୍ଦିଷ୍ଟ ଶୀର୍ଷକ
ନିରବ ପୃଷ୍ଠା ନିର୍ଦ୍ଦିଷ୍ଟ ଶୀର୍ଷକ
କେତେ ଯେ ବିଶ୍ୱାସ
ସେହି କେଇ ଖିଅ ସୂତାରେ
ବାନ୍ଧି ହୋଇଯାଉଥିବା
ଦୁଇ ହୃଦୟର ଆତ୍ମୀୟତାରେ।
ଗୋଟେ ହାତ ବଢିଯାଏ ଏପଟୁ
ଏବଂ ଦୁଇ ହାତ ଆବୋରି ନିଅନ୍ତି
ଆଦର ସ୍ନେହ ପ୍ରେମ ମମତା
କେବେକେବେ ବାତ୍ସଲ୍ୟ ବି
ବେଢ଼େଇ ହୋଇଯାଏ
ଏବଂ ମଣିବନ୍ଧେ ବାନ୍ଧିଯାଏ
ଭରସା ବିଶ୍ୱାସର ପବିତ୍ର ବନ୍ଧନ।
ହୁଏତ ଶୁଭ ରକ୍ଷାବନ୍ଧନ କହି
ମଥାରେ ଟୀକା ଲଗେଇ
ମିଠା ଟିକେ ଖୁଏଇ
କେବେ ହସ କେବେ ଲୁହ
କେତେ କୋହ କେତେ ମୋହ
ସବୁକୁ ଜାବୁଡି ଧରନ୍ତି
ଦୁଇ ପାପୁଲିରେ
ଭାଇ ଆଉ ଭଉଣୀ।
ତଥାପି ଅନେକ ରହିଯାଏ ଅକୁହା
ଯାହା କେବଳ ବୁଝିହୁଏ
ଶବ୍ଦ ବି ହୋଇଯାନ୍ତି ନିଶବ୍ଦ
ଭାବ ସବୁ ସମାହିତ ହୋଇ
କେବଳ ହସ ଧାରେ ହୋଇ
ଖସିପଡନ୍ତି ଓଠ ତଳୁ।
ଅବର୍ଣ୍ଣନୀୟ ଅକଳ୍ପନିୟ
ଆଲେଖା ଆଲେଖ୍ୟଟିଏ ହୋଇ
ନିଜେ ନିଜେ ସାଇତା ହୋଇ
ରହିଯାନ୍ତି ହୃଦୟ ପୋଥିରେ
ନିରବ ପୃଷ୍ଠାଟିଏ ପରି।
ଯେବେ କେବେ ସମ୍ପର୍କର ସୂଚୀପତ୍ର
ଛୁଇଁଯାଏ ଆଙ୍ଗୁଳିର ଛୁଆଁ
ସ୍ୱତଃ ଖୋଲିଯାଏ ସେହି
ନିରବ ପୃଷ୍ଠା ର ନିର୍ଦ୍ଦିଷ୍ଟ ଶୀର୍ଷକ
ଏବଂ କହିଯାଏ
ରାକ୍ଷୀର ଭାବ ଅନୁଭବ କଥା ।
