ନିରାଶ ଫଗୁଣ
ନିରାଶ ଫଗୁଣ
ଶୂନ୍ୟତାର ଘେର ଭିତରେ
ତୁମ ଛାଇର ପ୍ରତିଫଳନ,
ଧରିବାକୁ ହାତ ବଢାଇଲେ
ଅପସରି ଯାଏ ତତକ୍ଷଣାତ୍ l
ଦେଖାଇ ଥିଲ ଦିନେ
ସ୍ଵପ୍ନର ଅନେକ ସମ୍ଭାର,
ସତ ହେଲା ନାହିଁ କିଛି
ଶୁଭେ ଖାଲି ଆତ୍ମାର ଚିତ୍କାର l
ଫେରିବାର ପ୍ରତିଶ୍ରୁତି ଦେଇ
ନଫେରିଲ ଯୋଉଦିନ,
ସବୁରି ଅନ୍ତରାଳେ ରହି
ନିରବରେ କାନ୍ଦୁଥିଲା ମନ l
ନିଜ ପାରିପାର୍ଶ୍ଵେ ଦେଖି
ଏକ ନିରବତାର ଶୂନ୍ୟସ୍ଥାନ,
ଅବୁଝା ଏ ଫିକା ଜହ୍ନ ରାତି
ଲାଗେ ଭାରି ମୂଲ୍ୟହୀନ l
ଗଛୁ ଶୁଷ୍କ ପତ୍ର ପଡି ପବନରେ
ଧ୍ୟାନ ଭଗ୍ନ ହୁଏ ଖସ୍ ଖସ୍ ଶବ୍ଦରେ,
ତୁମ ଆସିବାର ଭ୍ରାନ୍ତି ସୃଷ୍ଟି କରେ
ଆଶୟିତ ମନ ଚାହେଁ ଆଶକ୍ତିରେ l
ପରାହତ, ପରିତ୍ୟକ୍ତ ଏ ଜୀବନେ
ବାକି କିଛି ରହି ଗଲା ବା କଅଣ,
ଲକ୍ଷ୍ୟହୀନ ପଥେ ଭ୍ରମୁଥିବା ମନ
କରିବାକୁ ହେବ ତାକୁ ନିଅନ୍ତ୍ରଣ l