ନିଳାଦ୍ରୀ ସମ୍ରାଟଙ୍କୁ ପ୍ରଶ୍ନ
ନିଳାଦ୍ରୀ ସମ୍ରାଟଙ୍କୁ ପ୍ରଶ୍ନ
ଭକତ ଚିତ୍ତ ଚୋର ହେ ନଟନାଗର
ପଚାରୁଛି କଥାଏ ଦେବ କି ଉତ୍ତର ???
ପରମ ପ୍ରେମମୟ... ଭୂମି ସେ ଗୋପ ଶ୍ରେୟ
ବ୍ରହ୍ମା -ବାଞ୍ଛିତ- ଧୂଳି ବୋଳା ଯା'ବକ୍ଷରେ
ଲୀଳା ତ କରୁଥିଲ ଆନନ୍ଦ ଅଧୀରେ...
କାହିଁ ସେ ବୃନ୍ଦାବନୁ ଛିଣ୍ଡାଇଲ ଡୋରୀ
କାହିଁକି ଯଶୋମତି ଛାତି ଦେଲ ଚିରି
ସର ଲବଣି ଗେହ୍ଲା... କାହିଁରେ ଊଣା କଲା
ଅମୂଲ ମୂଲ ତାର ସ୍ନେହ ଥିଲା ଢାଳି
ଛାଡି କିପରି ଚାଲିଗଲ ମଧୁପୁରୀ.....
ଅଶ୍ରୁସିକ୍ତ ନୟନ କ୍ଷୀଣ ତନୁ ହୋଇ
ଗୋପ ଦାଣ୍ଡକୁ ଚାହେଁ ପାଗଳିନୀ ମାଇ
'ଆସିଲେ କିବା ଫେରି.... ଆଉ ତା ଗଳାମାଳି'
ଘଡ଼ିଏ ପଡେ ସେ ତ, ମୂର୍ଚ୍ଛା ଯାଇ ଦଣ୍ଡେ
କେତେବେଳେ ହସେ ତ କେତେବେଳେ କାନ୍ଦେ..
ପିତା ଯେ ନନ୍ଦ ପଚାରନ୍ତି ଚାହିଁ ଚାନ୍ଦ
କି ଦୋଷ କଲି କାହ୍ନୁ ତେଜ୍ୟା କଲା କାନ୍ଧ
ବୁଝି ବୁଝୁନି ମନ.... ଦୁର୍ବିସହ ଜୀବନ
ହାଏ କିପରି ସମ୍ଭାଳିବେ ଯଶୋଦାକୁ
ଭୋକ ଶୋଷ ନାହିଁ ନିଦ କାହିଁ ଆଖିକୁ...
ବିରହେ ଝୁରି ମରେ ରାଧା ମାନମୟୀ
କାୟାକୁ ଛାଡି ଛାୟା ବଞ୍ଚି କି ପାରଇ
ପ୍ରାଣରେ ଥିଲୁ ଯୋଡି.... ଅଧାବାଟରେ ଛାଡି
ଚାଲିଲୁ କାଳେ ଧର୍ମ ସଂସ୍ଥାପନା କରି
ମନ ବୋଲିରେ କଣ କିଛି ନାହିଁ ତୋ'ରି...
ଗୋପୀମାନଙ୍କ ଗଳାମାଳି ଥିଲୁ ତୁହି
ତୋ ଗଲା ବାଟେ ଗଡ଼ିଲେ ଚେତା ହରାଇ
ଚାରି ଦିନକୁ ଗଲୁ... ଚିର ଦିନ ରହିଲୁ
କ୍ଷଣେ ବିଚ୍ଛେଦ ତୋର ସହି ନ ପାରନ୍ତି
ପ୍ରାଣ ଠାରୁ କୋଟି ପ୍ରିୟତମ ମଣନ୍ତି....
ସାଙ୍ଗ ସାଥି ଝୁରନ୍ତି, କଦମ୍ବ କାନ୍ଦଇ
ଗୋବତ୍ସା ହମ୍ବାଳନ୍ତି,ଯମୁନା ଝୁରଇ
ତୁହି ତ ଜାଣିଥିବୁ.... ଦିନେ ତୋ ବାଟେ ଯିବୁ
ଅଳ୍ପ ଦିନେ କାହିଁ କଲୁ ଏତେ ଚାତୁରୀ
ଭଣ୍ଡି କିପରି ଗଲୁ ସାରା ଗୋପ ପୁରୀ....
ଥରେ ଫେରିଲୁ ନାହିଁ ଦେଖି ସେ ଦୁର୍ଦ୍ଦଶା
ଚାଲିଲୁ ପଛେ ମଥୁରାରୁ ତୁ ଦ୍ୱାରିକା
କେତେ ମାରିଲୁ ପାପୀ... କେତେ ତାରିଲୁ ତପୀ
ନୀଳାଦ୍ରିବିହାରର ନୀଳାଦ୍ରୀଶ ଏବେ
ସ୍ନେହପ୍ରେମ ଋଣ ତାଙ୍କ ସୁଝିବୁ କେବେ??? ..
ଜାଣି ଚୌରାଗ୍ର୍ୟଗଣ୍ୟ ଚିତ୍ତ ଦେଲି ତୋତେ
ହେ ସର୍ବମୟ କର୍ତ୍ତା ଚାହିଁଥିବୁ ମୋତେ
ତୋ ଲୀଳା ତୋତେ ଜଣା... ବ୍ରହ୍ମା ଶିବ ବି ବଣା
ମୁହିଁ ତ ଛାର ନାରୀ,ଜାଣିବି କିପରି
ଦୋଷାଦୋଷ ମୋ ନ ଧରିବ ହେ ମୁରାରୀ...
