ନୀରବ ଝଡ଼
ନୀରବ ଝଡ଼
ଝଡ଼ ଯେବେ ଆସେ ନଷ୍ଟ କରିଦିଏ
ପ୍ରକୃତିର ସୁନ୍ଦରତା,
ତାହାରି ଭିତରେ ଝଡ଼ି ଚାଲିଯାଏ
କେତେ ଜୀବନ ସଳିତା |୧|
ନୀରବ ଝଡ଼ଟି ବଡ଼ ଭୟାନକ
ଆଖିକୁ ନ ଦିଶେ ତାହା,
ଅନ୍ତର ଦହଇ ପରାଣ ହରଇ
ଛାଡ଼େ ନାହିଁ ଜୀବ କାହା |୨|
ଥୁଣ୍ଟା ବରଗଛ ପତର ବିହୀନ
ପକ୍ଷୀ ଯାଏ ଦୂରୁ ଦୂର,
ଆଦର ନଥାଏ ସୌନ୍ଦର୍ଯ୍ୟ ହରାଏ
ବାସହୀନ କରପୁର |୩|
ନୀରବ ଝଡ଼ର ଘାତ ଆଘାତରେ
ଦୋହଲି ଯାଇଛି ବାଡ଼,
ମଉନ ହୋଇଛି ମରମ ବେଦନା
ଭାଙ୍ଗି ଯାଇଅଛି ହାଡ଼ |୪|
ନିଶୀଥ ସୂର୍ଯ୍ୟର ଦୂର ଆକାଶରେ
ପକ୍ଷୀ ଯାଏ ଦୂରେ ଉଡ଼ି,
ଆକାଶ ଯାକର ଯେତେକ ନୀଳିମା
ପକ୍ଷ ଘାତେ ଗଲା ଝଡ଼ି |୫|
ପକ୍ଷୀ କଳରବ ମଧୁର ମୂର୍ଚ୍ଛନା
କାନେ କରଇ ଆଘାତ,
ଝରଣା ଜଳର କୁଳୁକୁଳୁ ନାଦ
ଭାଙ୍ଗିଦିଏ ଯତିପାତ |୬|
ମନ ଭାଙ୍ଗିଯାଏ କାଚଖଣ୍ତ ପରି
ନୀରବ ଝଡ଼ର ଘାତେ,
ଅଦିନ ପବନ ଉଜାଣି ବହଇ
ମିଛ ଲାଗେ ପ୍ରାଣ ସତେ |୭|
ମନ ଉଡ଼ିଯାଏ ଅଦେଖା ସହରେ
ବାଈ ଚଢ଼େଇର ବସା,
ତଳେ ରହିଅଛି ଅଜଗର ସାପ
ଦେଖିଲେ ଉଡ଼ୁଛି ହଂସା |୮|
ସାଗର ବେଳାରେ ଲହଡ଼ି ଭାଙ୍ଗୁଛି
ମୁଣ୍ଡ ଦେଉଥାଏ କୋଡ଼ି,
ନୀରବ ଝଡ଼ଟା ଏତେ ଦୁଃଖଦାୟୀ
ଆକାଶ ପଡ଼ଇ ଛିଡ଼ି |୯|
ଏକାଗ୍ର ମନରେ ଧ୍ୟାନ ଧାରଣାରେ
ଲଙ୍ଘି ଯାଇପାର ଝଡ଼,
ଜୀବନ ତରଣୀ ବାହିନେବ ଧିରେ
ତେବେ ତ ହୋଇବ ବଡ଼ |୧୦|