ନୀଳରାସ୍ତା ଓ ଆଗନ୍ତୁକ
ନୀଳରାସ୍ତା ଓ ଆଗନ୍ତୁକ
ନୀଳରାସ୍ତାର ଆରପାରେ -
ରାତିଟା ଉଲଗ୍ନ ହେଇ ଗାଧାଏ ,
କୁହୁଡି ର ଶତ ଚୁମ୍ବନ ରେ ରାତିଟା ଫୁଲେଇ ହୁଏ ,
ରଙ୍ଗହୀନ ସ୍ଵପ୍ନ ମାନଙ୍କୁ ପଛକୁ ଠେଲି ,
ଆଗନ୍ତୁକ ନୀଳରାସ୍ତା ଦେଇ ସ୍ୱପ୍ନର ପରିଧି କୁ ଓହ୍ଲାଏ !
ସାରା ରାତି ଗାଧୁଆ ପାଣିରେ -
ନୀଳରାସ୍ତା ତା ନିଜକୁ ଦେଖେ !
ରଙ୍ଗମଖା ଦେହକୁ ଅନାସକ୍ତ ହୁଏ ,
କୁହୁଡିଆ କୁହୁଡିଆ ଆକାଶକୁ ଚାହିଁ ,
କେଉଁ ଆଗନ୍ତୁକ ପାଇଁ ଅପେକ୍ଷାରେ ପଡ଼ିରହି ଥାଏ !
କାଳେ କେହି ତା ଦେହକୁ ଛୁଇଁବ ,
ତା ପରିଧି ରେ ଆବଦ୍ଧ ହେଇ ଭବିତବ୍ୟ କୁ ହାତ ଠାରି ଡାକିବ ,
ସ୍ଵପ୍ନ ସବୁକୁ ପିଚିକାରୀ ମାରି ସାରା ରାତି -
ନୀଳ ରାସ୍ତାରେ ଖୁବ୍ ଦୂର ଯାଏ ଚାଲିଚାଲି ଯିବ ।
କେହି ଜଣେ ରାତି ଅଧେ ଆଗନ୍ତୁକ ସାଜେ ,
ନୀଳ ରାସ୍ତାର ପରିଧି ରେ ନିଜକୁ ସୀମାବଦ୍ଧ କରେ ,
ସୀଗାରେଟ୍ ର ଧୂଆଁ ନୀଳ ରାସ୍ତାକୁ ଫିଙ୍ଗେ ,
ନୀଳ ରାସ୍ତାରୁ ବିଷ ଓହ୍ଲାଇ ଯାଏ ,
ତଥାପି ସେ କାହିଁକି ନୀଳ ନୀଳ ଦିଶେ !
ଆଗନ୍ତୁକ ର ଆଖି ଲେଉଟି ପଡେ ,
ଚିତ୍କାର କରି ସମସ୍ତଙ୍କୁ ସେ ଡାକିବାକୁ ଚେଷ୍ଟା କରେ ,
ନୀଳ ରାସ୍ତାର ପରିଧିରେ ଶବ୍ଦ ବାଜି ଫେରି ଆସେ !
ଆଗନ୍ତୁକ ଛଟପଟ ହୁଏ ,
ସେ ମରିପାରେନା କି ଜୀଇପାରେନା ।
ବଞ୍ଚି ବଞ୍ଚି ପ୍ରତି ମୂହୁର୍ତ୍ତେ ମରି ମରି ଯାଏ !
ତଥାପି ନୀଳରସ୍ତା ଆଉ କାହା ପାଇଁ ପଡ଼ି ରହିଥାଏ ।
୦-୦-୦
