ନୀଳଚକ୍ର
ନୀଳଚକ୍ର
ନୀଳଚକ୍ର ବୋଲାଇଛି ଯେ
ତାର ନାହିଁ ଆକାର
ଅଣାକାର ରୂପେ ବିଖ୍ୟାତ
ମନ ମୋହେ ବିଶ୍ୱର ।
ରୂପକୁ ଚାହିଁଲେ ଯେଉଁଠୁ
ସେହି ସମାନ ଦିଶେ
ଭେଦଭାବ ନାହିଁ ବୋଲି ତ
କେଡେ ସୁନ୍ଦର ଦିଶେ ।
ଶୋଭାରେ ସୁନ୍ଦର ଦିଶଇ
କାଳିଆର ଶ୍ରୀକ୍ଷେତ୍ର
ଧର୍ମ ସ୍ଥାପିବାକୁ କରିଛି
ଯାହାକୁ ଲୀଳାକ୍ଷେତ୍ର ।
ରହିଯାଏ ନେତ୍ର ଅଟକି
ନୀଳଚକ୍ର ନେତ ରେ
ଆତ୍ମା ପକ୍ଷୀ ଶାନ୍ତି ଲଭଇ
ଦେଖିଦେଲେ ଦୂରରେ ।
ରୁକିଯାଏ ନାହିଁ କା ପାଦ
ଥକେ ନାହିଁ କା ମନ
ଯେତେ ଦେଖିଲେ ବି ବୁଝେନି
କେବେ ଭକ୍ତ ପରାଣ ।
ନୟନୁ ଝରଇ ଲୋତକ
ମନ ହୁଏ ପାଗଳ
ଝୁରେ ମନ ଟଙ୍କ ତୋରାଣି
ଝୁରେ ଦହିପଖାଳ ।
ଲବଣୀ ଖିଆର ଲୀଳାକୁ
କିଏ ପାରିବ ବୁଝି
ବାଇଆ କରୁଛି ସଭିଙ୍କୁ
ଡୋରେ ବାନ୍ଧି ଆଣୁଛି ।
ଛିଦ୍ର ଯାହା ପାଇଁ ଯେ କରୁ
ଜଣେ ଦେଖୁଛି ସବୁ
ସମୟ ଆସିଲେ ସଭିଙ୍କୁ
କରିନେବ ସେ କାବୁ ।
ବସିଛନ୍ତି ରତ୍ନବେଦିରେ
ଭକ୍ତ ବତ୍ସଳ ହରି
ସବୁରି ଅଟନ୍ତି କେବେ ସେ
କେବେ ନୁହେଁ କାହାରି ।
ରହିଛି ଯାହାଙ୍କ ଅଧୀନେ
ଏହି ବିଶ୍ୱ ଜଗତ
ତାଙ୍କ ବିନା କିଏ ରଖିବ
କିଏ ହୋଇବ ମୁକ୍ତ ।
ତରି ଯାଉ ଏହି ପରାଣ
କରି ତାଙ୍କ ଦର୍ଶନ
ମିଳୁ ନୀଳାଦ୍ରିବିହାରୀଙ୍କ
ଶ୍ରୀଚରଣରେ ସ୍ଥାନ ।
ନାହିଁ ଆଉ କିଛି ମୋ ଇଚ୍ଛା
ରଖିଅଛି ଭରସା
ପୂର୍ଣ୍ଣ କରିବ ହେ ଠାକୁର
ଏହି ଛୋଟିଆ ଆଶା ।
ସବୁ ତ ତୁମରି ଇଚ୍ଛା ହେ
ଇଚ୍ଛାମୟ ଶ୍ରୀହରି
ଚରଣେ ଶରଣ ପଶୁଛି
ଏ ଅଧମ ତୁମରି ।
ରକ୍ଷାକର ହେ ଚକ୍ରଧର
ରଖ ତୁମ ସଂସାର
କଳିର କରାଳ ରୁପକୁ
ବାରେ ବିନାଶ କର ।
ରକ୍ଷାକର ମହାବିନାଶୁ
ମହାଯୁଦ୍ଧ କୁ ଟାଳି
ଦ୍ୱାପରର ଶାନ୍ତି ଦୂତଙ୍କୁ
ମୋର ଏତିକି ଅଳି ।
ଲୀଳା ଆଉ କେତେ ରଚିବ
ସାଧୁଙ୍କ ତ୍ରାଣ ପାଇଁ
ଓଳିଏ ମହାଭାରତକୁ
ରଚୁଅଛ ଗୋସାଇଁ ।
ଇଚ୍ଛା ଯାହା ଏକା ତୁମର
ତୁମେ ତାହା ହିଁ କର
ଅଧର୍ମ ବିନାଶୀ ହେ କୃଷ୍ଣ
ଧର୍ମ ସ୍ଥାପନା କର ।
