ନିବେଦନ
ନିବେଦନ
ତୁମେ ଆସିଲେ କାହିଁକି ମୁଁ ହୁଏ ଆନମନା
ଖୁସିରପାଖୁଡାମାନ ମେଲିଯାନ୍ତି ଆପେ ଆପେ
କି ସମ୍ପର୍କ ତୁମ ଆଉ ମୋ ଭିତରେ
ବିରହର କୁହୁଳା ନିଆଁ ଜଳିଉଠେ
ତୁମର ଶୀତଳ ଟିକିଏ ନିଶ୍ଵାସରେ ।
ଆମ ଭିତରେ ଦୂରତା ଆଜି ବହୁତ
ତଥାପି ଏସବୁ ସାଜିନି ପ୍ରତିବନ୍ଧକ
ହୃଦୟଟିଏ ବାନ୍ଧିପାରେ ଆଉ
ଗୋଟେ ହୃଦୟକୁ ଅନାୟସରେ
ରାତି ସବୁ ସରିଯାଏ ତୁମ କଥା ଭାବିବାରେ ।
ସମସ୍ତେ କହନ୍ତି ମୁଁ କାଳେ
ପଡିଛି ତୁମ ପ୍ରେମରେ
ପ୍ରେମରେ ପଡିଥିବା ଲୋକମାନେ ପାଗଳ
ପତଙ୍ଗ ସାଜି ଝାସନ୍ତି ନିଆଁରେ
ସବୁ ଜାଣି ଜାଣି ଭୁଲ କରିବାକୁ
ଭାରି ଇଚ୍ଛା ହୁଏ କାହିଁକି କେଜାଣି
ନିରୁତ୍ତର ସମସ୍ତେ ଏ ଅଜବ ପ୍ରଶ୍ନରେ ।
ତଥାପି ଆଶା ଅଛି ମୋର ତୁମପରେ
ସାଉଁଟିନେବ ମୋତେ ଅଧାରାସ୍ତାରୁ
ନିରାଶ କରିବନି ଭାଙ୍ଗିବନି ମୋର
ପ୍ରେମର ତିଆରି କରିଥିବା ତାଜମହଲଟିକୁ
ସମ୍ପର୍କର ବୁଢୀଆଣୀ ଜାଲ ବୁଣି
ପ୍ରୀତିର ଗୋଲାପଟିଏ ହାତେ ଧରି
ଚାହିଁ ଥିବି ତୁମକୁ ସେମିତି ଜନ୍ମଜନ୍ମାନ୍ତରେ ।
