ନିଆଁ
ନିଆଁ
ଏନ୍ତୁଡିଶାଳରେ ଏକ ନିଆଁ ଜଳେ
ମଶାଣିରେ ଏକ ନିଆଁ,
ଏ ଦୁଇ ନିଆଁର ଦୂରତାଟି ଯିଏ
ଜୀବନ ଅଟେ ତା ନାଆଁ।
ଜନମରେ ଜଳେ ଅନ୍ତୁଡି ନିଆଁଟି
ମରଣରେ ଜଳେ ଜୁଇ,
ମରମରେ ନିଆଁ ଜଳେ ଯାହା ଲାଗି
ଦୁନିଆଁ ତା ନଜାଣଇ।
ପଦେ ଟାଣକଥା କହିଦେଲେ କିଏ
ମରମରେ ଲାଗେ ନିଆଁ,
ତା ବିନା ସେ ନିଆଁ ଲିଭାଇ ପାରେନା
ଆଉ ଏ ସାରା ଦୁନିଆଁ।
ମରମନିଆଁରେ ମନ ଜଳୁଥାଏ
ଦାବାନଳେ ଜଳେ ବନ,
ମରମନିଆଁକୁ ଲିଭାଇ ପାରେନା
କେବେ ଧାରା ଶିରାବଣ।
ସମୟସୁଅରେ ଅନ୍ତୁଡିର ନିଆଁ
ଜୁଇନିଆଁ ଲିଭିଯାଏ,
ମରମରେ ଥରେ ଲାଗିଗଲେ ନିଆଁ
ଆଉ ଲିଭେନାହିଁ ସିଏ।
ମରମନିଆଁଟା ଦିକିଦିକି ଜଳେ
ଲାଗେନା କେଉଁଠି ମନ,
ଚଇତାଳି ବାଆ ଦେହକୁ ଲାଗଇ
ଝାଞ୍ଜିପବନ ସମାନ।
ଲଗେଇଛି ଯିଏ ମରମରେ ନିଆଁ
ସେକଥା ତ ଜାଣେ ମନ,
କେବଳ ତାହାର ଟିକିଏ ହସରେ
ସେ ନିଆଁ ହେବ ଚନ୍ଦନ।
ଏନ୍ତୁଡିନିଆଁଠୁ ଜୁଇନିଆଁ ଯାଏ
ମନ ତାକୁ ଖୋଜୁଥାଏ,
ଜୁଇ ଶେଷଶିଖା ଲିଭିବା ପୂର୍ବରୁ
ଆସନ୍ତାନି ଥରେ ସିଏ?
ନଆସିଲା ଯଦି ହୋଇପାରେ ଦେଖା
ପୁଣି ଆରଜନମରେ,
ମରମ ନିଆଁଟା ଜୁଇ ନିଆଁ ସାଥେ
ଲିଭିଯାଉ ମଶାଣିରେ।