ନିଅ ନାହିଁ ମୋତେ ସ୍ଵର୍ଗଦ୍ଵାର
ନିଅ ନାହିଁ ମୋତେ ସ୍ଵର୍ଗଦ୍ଵାର
ଥିଲା ମନେ ଶେଷବେଳେ କିଛି ହାତ ଜାଗା ନେବି ସ୍ଵର୍ଗଦ୍ଵାରେ
ଗାଁ ମଶାଣି ଛାଡି ମୁଁ ସିଧା କାଳେ ଓହ୍ଲାଇବି ବୈକୁଣ୍ଠପୁରେ।
ବୁଲୁବୁଲୁ ଦିନେ ପଡିଲା ନଜର ଘୁରିଗଲା ମୋର ମଥା
ହେବାକୁ ପଡେ ଧାଡିରେ ଠିଆ ମୁର୍ଦାରକୁ କାହିଁ ଦିଅ ବ୍ୟଥା।
ପଚାଶ କେଜି ମାଗଣା କାଠ ସରକାରଙ୍କ ଭୋଟ ବାକ୍ସ
ଧର୍ମକୁ କରି ପାଥେୟ ଆତ୍ମୀୟ ଚଣ୍ଡାଳଙ୍କ ଗୋଟେ ଫାରସ୍ ।
ବେକ ହାତ ଗୋଡ ମୋଡି ମାଡି କରି ପୁରା ଲଙ୍ଗଳା ଫକିର
ଅଧା ପୋଡା ରହିଲେ ଶବ ବଢିଯାଏ ପରା ଚଢା ବେପାର ।
ସାରା ଜୀବନ ଢାଙ୍କିଥିବା ଇଜ୍ଜତ ହଜେ ସ୍ଵର୍ଗପ୍ରାପ୍ତି ଲୋଭେ
ନୂଆ ବସ୍ତ୍ରେ ମୁଣ୍ଡେ ପଗଡି ଗାଁର ସମ୍ମାନ କାହୁଁ ଅବା ଲଭେ ।
ଧୂପ ଅଗରୁ ଫୁଲ ଚରୁଅନ୍ନେ ଶେଷ ପ୍ରଣାମ ମାଟି ମାର
ଗାଁ ସାରା ଲୋକେ ହୁଅନ୍ତି ଝୁରି ଲାଗନ୍ତି ସଭିଏଁ ଆପଣାର ।
ନିଅ ନାହିଁ ମୋତେ ସ୍ଵର୍ଗଦ୍ଵାର ମୋ ଗାଁ ମଶାଣୀ ସବୁଠୁ ଭଲ
ଗାଁ ମାଟି ପାଣି ପବନ ଡାକୁଅଛି କରିବାକୁ ମୋତେ ଗେଲ ।
