ନିଅ ଗୋପପୁରକୁ ମୋତେ
ନିଅ ଗୋପପୁରକୁ ମୋତେ


ଜନମିବେ କୃଷ୍ଣ ଦେବକୀ କୋଳରେ
ଭାଦ୍ରବ ଅଷ୍ଟମୀ ତିଥିରେ ,
ଧରମ ସ୍ଥାପନ ପାଇଁ ଭଗବାନ
ବିରାଯିବେ ମର୍ତ୍ତ୍ୟ ପୁରରେ ।
ନୀଳ ନବଘନ ଅନ୍ଧକାରମୟ
ଚମକେ ବିଜୁଳି ଏଥର ,
ମୂଷଳଧାରାରେ ବରଷିଲା ବାରି
ମେଘ ଗର୍ଜିଲା ଭୟଙ୍କର ।
କାରାଗାରେ ଥାଇ ରୋଦନ କରନ୍ତି
ମାତା ଦେବକୀ ଶଙ୍କା ବହି,
ସ୍ମରୁଥାନ୍ତି ବସି ଆହେ ଅବିନାଶୀ
କୃପା କରହେ ଭାବଗ୍ରାହୀ ।
ମନ କଥା ଜାଣି ପ୍ରଭୁ ଚକ୍ରପାଣି
ଶଙ୍ଖ ଚକ୍ର ହସ୍ତେ ଧରିଲେ ,
ଅପରୂପ ତେଜ ତନୁମୟ କାନ୍ତି
ପୀତବସ୍ତ୍ରେ ଉଭା ହୋଇଲେ ।
କହିଲେ ମା ମୋର ଗର୍ଭରେ ତୁମର
ବାଳକୃଷ୍ଣ ରୂପେ ଜନ୍ମିବି ,
ଶତ୍ରୁ ବିନାଶିବି ଧରମ ସ୍ଥାପିବି
ଲୀଳା ରଚି ପୁଣି ଫେରିବି ।
ହେଲେ ଅନ୍ତର୍ଦ୍ଧାନ ପ୍ରଭୁ ଭଗବାନ
ଦିବ୍ୟ ଆଭା ହେଲା ପ୍ରକାଶ ,
ପ୍ରଭୁ ଜନମିଲେ ଦେବକୀ କୋଳରେ
ମୁକ୍ତ କଲେ କାରାବାସ ।
ଶିକୁଳି ଖୋଲିଲା ଦେବ ବାଣୀ ହେଲା
ଅପେକ୍ଷା ନକରି ତୁରିତେ
କଂସ ମୋ ବଇରୀ ଦେବ ମୋତେ ମାରି
ନିଅ ଗୋପପୁରକୁ ମୋତେ ।