ନିଅ ଆପଣେଇ
ନିଅ ଆପଣେଇ
ଆଉ ସହି ହେଉ ନାହିଁ
ସମାଜର ଲାଂଛନା ଭେଟ
ଅସହ୍ୟ ପ୍ରଶ୍ନର ରକ୍ତାକ୍ତ ଚୋଟ
ଅବିବେକି ମଣିଷର
ଛଦ୍ମବେଶୀ ନାଟ ।୧।
ଏଇ ତ ! ବେନି କର ପ୍ରସାରି
ମଶାଣି ଡ଼ାକିଲାଣି ମୋତେ
ବିଦାୟ ଦିଅ ! ବିଦାୟ ଦିଅ !
ଏ ଦୁଃଖି ରଙ୍କିକୁ ତୁରିତେ ।୨।
ସତେ କ'ଣ ଭୁଲ ଥିଲା ମୋର
ଅତ୍ୟାଧୁନିକତାର ରଙ୍ଗେ-ରଙ୍ଗିବାର
ସ୍ୱାବଲମ୍ବୀ ହୋଇ, ଚେଷ୍ଟା ବଞ୍ଚିବାର
ନିଜ ଅସ୍ତିତ୍ବକୁ ପରିଚୟ ଦେବାର
ନିଜକୁ ନିଜେ ପ୍ରତିଷ୍ଠିତ କରିବାର
ସତେ କଣ ଭୁଲ ଥିଲା ମୋର ? ।୩।
ତେବେ କାହିଁକି ଆମେ ହେଉ
ଶିକାର ବାରମ୍ବାର
ଫିଙ୍ଗା ହେଉ ପୁଣି ଚଳନ୍ତା ବସ୍ ରୁ
ଯେମିତି ତୁଚ୍ଛ ଚକୋଲେଟ୍ ରେପର
ସତେ କ'ଣ ଭୁଲ ଥିଲା ମୋର ? ।୪।
ହଁ ! ଭୁଲ ଥିଲା ମୋର
ଛୋଟ ବସ୍ତ୍ର ପିନ୍ଧିବାର
ଲଜ୍ୟା ଛାଡ଼ି ବାହାରେ
ସ୍ବାଧୀନେ ବୁଲିବାର
ପ୍ରଚେଷ୍ଟା ସମକକ୍ଷ ହୋଇ
ପ୍ରଗତିରେ ସହଯୋଗୀ ସାଜିବାର
ଘର ଛାଡ଼ି , ଦପ୍ତର ଯିବାର
ଅଧିକନ୍ତୁ,
ସ୍ୱାଧୀନ-ସ୍ୱାବଲମ୍ବୀ-ସ୍ୱାକ୍ଷର ହେବାର ।୫।
ହଁ ! ବୋଧେ ଏସବୁଥିରେ
ଭୁଲ ଥିଲା ମୋର
ସେଥିପାଇଁ ହେଉ ଆମେ ହିଁ ଶିକାର
ସହିବାକୁ ପଡ଼େ ନାନା ତିରସ୍କାର
ଲାଂଛନା-ଯାତନା-ଏହି ପୁରୁଷ ସମାଜର
ହଁ ! ସବୁ ଭୁଲ ଥିଲା ମୋର ।୬।
ତେବେ କୁହ; କି ଭୁଲ ଥିଲା ସେଇ
ନଅ ମାସ ସଦ୍ୟ ଜାତ ଶିଶୁର
ସିଏ ବା କାହିଁ ହେଲା ତୁମର ଶିକାର
ଧିକ୍କାର ଧିକ୍କାର ତୁମ ମରଦ ପଣିଆର ।୭।
କ'ଣ ? ଜାଣିବାକୁ ଚାହଁ !
ସ୍ୱାଦ ତା' କଅଁଳ ମାଂସର
ଶୁଣିବାକୁ ତା କୁନି ପାଟିର
କୁଆଁ କୁଆଁ ଯନ୍ତ୍ରଣାର ସ୍ୱର
କୁହ ! କଣ ଭୁଲ ଥିଲା ତା'ର ? ।୮।
ଆରେ ବାହାରେ କାହିଁକି ?
ନିଜ ଘରେ, ଆତ୍ମୀୟତାର ଆଢୁଆଳରେ
ତୁମେ ତା' ସର୍ବସ୍ୱ ଲୁଟି ପାର
କାହିଁକି ବା କର ମିଛରେ ପ୍ରଚାର
ପୁଣି ! ଡିଣ୍ଡିମ,
ନାରୀ ସମ୍ମାନ-ନିରାପତ୍ତା-ସୁରକ୍ଷାର
ଧିକ୍କାର ଧିକ୍କାର ତୁମ ମରଦ ପଣିଆର ।୯।
ଆଜି ସର୍ଵଶ୍ୱାନ୍ତ ହୋଇ
ନିଜ ଦୁଃଖ ନିଜ ସାଥେ ନେଇ
ଯାଉଛି ମୁଁ (ଶେଷେ) ମୃତ୍ୟୁକୁ ଆପଣେଇ
ଆଉ ଏ ମିଛ ଠିକଣାର ରହିବାର ନାହିଁ
ମଶାଣି କୋଳରେ ଯାଉଛି ମୁଁ ଶୋଇ ।୧୦।