STORYMIRROR

SARATA KUMAR DAS

Others

3  

SARATA KUMAR DAS

Others

ନଗ୍ନତାର ଚିତ୍ରକଳ୍ପ

ନଗ୍ନତାର ଚିତ୍ରକଳ୍ପ

1 min
258


ନଗ୍ନତାର ମେଂଚା ମେଂଚା ବହଳିଆ ଛିଟା

ନେସିହୋଇ ଝଲସୁଛି ଚଉଦିଗ  

ହୃଦୟ ଭିତରେ ପୁଣି ହୃଦୟ ବାହାରେ

ନାମୀ ଦାମୀ ରଙ୍ଗ ବେରଙ୍ଗର 

ପୋଷାକର ଆସ୍ତରଣ 

ଢାଙ୍କିଦିଏ ସିନା ବାହାରର ନଗ୍ନତା

ମାତ୍ର ଚକମକ ହେଉଥାଏ

ଖୁନ୍ଦି ହୋଇରହିଥିବା ଭିତରର ନଗ୍ନ ପ୍ରତିବିମ୍ବ 

ଦାନାବାନ୍ଧୁଥାଏ ପ୍ରତି ମୁହୂର୍ତ୍ତରେ 

ଦିନରେ ,ରାତିରେ ପୁଣି ଜହ୍ନ ଆଲୁଅରେ ;

ଯେତେ ଚେଷ୍ଟା କଲେ ବି ଢାଙ୍କି ହୁଏନାହିଁ 

ସଫେଦ୍ ଦାମିକା ପୋଷାକର 

ନରମ ଓ କୋମଳ ଆସ୍ତରଣରେ ।।


ଭଦ୍ରତାର ବର୍ଣ୍ଣାଢ୍ୟ ଆବରଣ ତଳୁ 

ଶବ୍ଦର ସୁଶୋଭନୀୟ ଉଚ୍ଚାରଣ ଭିତରୁ 

ଆଚରଣର ବୀସ୍ତିର୍ଣ୍ଣ ସାଗର ବିନ୍ଦୁରୁ

ଝରିପଡେ ଝରଝର ନଗ୍ନତାର ନିର୍ଝର

ଶିରା ପ୍ରଶିରାରେ ଅନାୟସ ଆତଯାତ

ରକ୍ତର ପ୍ରତିଟି ବିନ୍ଦୁରେ ଉବୁଟୁବୁ 

ନଗ୍ନତାର ଆତତାୟୀ ରୂପଚିତ୍ର

କେବେ ଦୃଶ୍ୟମାନ ପୁଣି କେବେ ଝଲମଲ

ଅଦୃଶ୍ୟର ସୀମାହୀନ କରାଳ ଛାଇରେ ।।


ସୂର୍ଯ୍ୟୋଦୟ ରୁ ସୂର୍ଯ୍ୟାସ୍ତ 

ଖାଁ ଖାଁ ନିଛାଟିଆ ଖରାବେଳେ 

ସଂଧ୍ୟା ର ପାଣିଚିଆ ଅନ୍ଧକାର 

ହରେକ ରକମର କୋଳାହଳ 

ପକ୍ଷୀର କାକଳି,ଫୁଲର କୋମଳ ସମ୍ଭାର

ରୂପରେ ପୁଣି ଅରୂପରେ

ସବୁରି ଭିତରେ ନଗ୍ନତାର କ୍ଷୀଣ ସ୍ବର

ଗୁଂଜରିତ ହୁଏ ଜୀବନର ପ୍ରତିଟି ଛନ୍ଦରେ 

ଗୁମୁରି ଗୁମୁରି କାନ୍ଦେ କଅଁଳ ନିଷ୍ପାପ ଶିଶୁଟିଏ

ଭାସିଯାଏ ବର୍ତ୍ତମାନ ଓ ଭବିଷ୍ୟତ 

ଲୁହ ଓ ଲହୁର ପ୍ରବହମାନ ତତଲା ସ୍ରୋତରେ  ।।


ଅମାବାସ୍ୟାରୁ ପୂର୍ଣ୍ଣିମା 

ଶୈଶବରୁ କୈଶୋର 

ପୁଣି କୈଶୋରରୁ ପ୍ରୌଢତ୍ବ,

ଲହଡି ଭାଙ୍ଗେ ନଗ୍ନତାର ଢେଉ

ସୁନାମି ହୋଇ ଧୋଇଦିଏ

ମନ୍ଦିର,ମସଜିଦ ଓ ଗୀର୍ଜାର ସକଳ ପୁଣ୍ୟତା;

ତାଳୁଠୁଁ ତଳିପା ଯାଏ ନଗ୍ନତାର ଚିତ୍ରପଟ

ଖିଲି ଖିଲି ହସୁଥାଏ,ମହ ମହ ବାସୁଥାଏ 

ବର୍ଷା, ବସନ୍ତ ଓ ବୈଶାଖର ଡହ ଡହ ତାତିରେ ;

ଭାଙ୍ଗିଯାଏ ମାନବିକତାର ସ୍ବର୍ଣ୍ଣାଭ ମହଲ

ଅଟ୍ଟହାସ୍ୟ ଶୁଭେ ନଗ୍ନତାର ମୁକ୍ତକଣ୍ଠେ  

ଝରିପଡେ ବିନ୍ଦୁ ବିନ୍ଦୁ ଲୁହ ଭୂମାରୁ ଭୂମିକୁ ।।


ରାତିର ଗଭୀରତା ବଢେ ଯେତେ ଯେତେ

ଝିଂକାରୀର ଝିଂ ଝିଂ ଶବ୍ଦ ସେତେ ବଢିଯାଏ 

ତାରାଭର୍ତ୍ତି ଆକାଶରୁ ଡେଇଁପଡେ ତାତି

ଭରା ନଈର ସ୍ବର ଅସ୍ପଷ୍ଟ ଓ ଲୟହରା ହୁଏ

ନିଶ୍ବାସ ର ପ୍ରଖରତା ସୂଚାଇ ଦିଏ ବାରମ୍ବାର  

ଛାତି ତଳେ ବାନ୍ଧି ହୋଇ ରହିଥିବା 

ଆଦିମ ନଗ୍ନତାର ସରଳ ଭଗ୍ନାଂଶ ;

ନୀଡଫେରା ପକ୍ଷୀଙ୍କ ଯୁଗଳ ବନ୍ଦୀରେ  

ଆବେଗର ଦର୍ପଣରେ ଝଲମଲ ଦିଶେ

ଦେହ ଓ ବିଦେହର ନଗ୍ନ ଚିତ୍ରକଳ୍ପ ।।



Rate this content
Log in