ନେପଥ୍ୟ ନାୟକ
ନେପଥ୍ୟ ନାୟକ
ଆଖି ଆଗରେ ଘଟୁଥିଲା
'ଫୋନି'ର ପ୍ରଳୟ
ଅଣଚାଶ ବେଗର ପବନ
ପ୍ରକୃତିର ରଣଚଣ୍ଡୀ ରୂପ
ଧ୍ବଂସ ର ବଜ୍ର ନିର୍ଘୋଷ୍
ଅଣ୍ଟା ସଳଖି ଠିଆ ହେଉଥିବା
ସବୁଜିମାର ବଳୟ କୁ,
ନିଜେ ନିଜକୁ-
ନଷ୍ଟ କରିଚାଲିଥିବା
ପ୍ରକୃତି ର ନବକାଳିକା ରୂପ
ପରିବେଶ କୁ କରିଥିଲା ତଟସ୍ଥ ।
କେଉଁଠି ପ୍ରଭୁ ତୁମେ???
ଏ କଣ,
ତୁମେ ଯେ ନୀରବ!
ସହସ୍ର ହସ୍ତରେ ତୋଳିଧରୁଥିବା
ବରଦ ହସ୍ତ ମୁଦ୍ରିତ,
ଯେମିତି ଲାଗୁଚି
ତୁମେ ବି ସମ୍ମତ।
ଲୁପ୍ତ ମଣିଷ ପଣିଆ
ଅବିବେକି ଅତ୍ୟାଚାର
ସ୍ନେହ ସୌହାର୍ଦ୍ଦ୍ୟ ର
ମିଥ୍ୟା ଆବରଣ
ଭକ୍ତ ପଣିଆ ର ଆସଫାଳନ
ଏସବୁ ଦେଖି
ତୁମ ସାଗର ବୁକୁରେ ଏତେ ଉଦବେଳନ
ସତେ କଣ ତୁମେ ଅନୁତପ୍ତ!!!!!
ନିଜେ ରଚିଥିବା ସୁନ୍ଦର ସୃଷ୍ଟି ର
ବିକୃତ ପ୍ରତିଛବି ଦେଖି ??
ପଲକ ଶୂନ୍ୟ ଚକ୍ଷୁ ର
ଅଦୃଶ୍ୟ ଲୋତକ ଧାରା
ସୃଷ୍ଟି କଲା ଫୋନିର ପ୍ରଳୟ
ନିଜେ ନିଜକୁ ଅସହାୟ ସଜାଇ
ହାତ ଟେକିଦେଲ
ସମୟର ଉତତାଳ ନିର୍ଦ୍ଦେଶ ରେ,
ସବୁ ଯେତେବେଳେ ସୀମା ଲଂଘେ
ଅତି ଇତି ହୁଏ
ସେତେବେଳେ ନିଜକୁ ପୁତ୍ତଳିକା
ସଜାଇଲ
ସ୍ୱରଚିତ ଧ୍ୱଂସ ର ଖେଳରେ।
'ଫୋନି' ର ଫଣାରେ
ପ୍ରକୃତି ଶିକାର
ଲହଲହ ଜିହ୍ଵା ର
ବିଷାକ୍ତ ଫୁତ୍କାର
ତୁମ ଅଭିମାନ
ରୋଷର ଆକ୍ଷେପ
ମୁହୂର୍ତକେ ରଚିଦେଲା
ଘୁର୍ଣ୍ଣିର ପ୍ରକୋପ।
ବିସ୍ମିତ ମୁଁ
ତୁମ ଓଷ୍ଠ ଧାରେ ଝଟକୁଥିଲା
ବିଲୋକ ମୃଦୁହାସ୍ୟ
ବୁଝିପାରୁଥିଲି ତୁମର ଇଙ୍ଗିତ
ଲୀଳାମୟ ତୁମେ
ଲୀଳାର ଆଧାର
ବିନାଶ ବିକାଶ
ତୁମ ଅଧିକାର ,
ଫେରାଇଦେବାକୁ
ହଜିଥିବା ସ୍ନେହ ,ଶ୍ରଦ୍ଧା
ସଦ୍ଭାବନା, ପ୍ରୀତିର ମଞ୍ଜରୀ
ନାହିଁ,ନାହିଁ, ତ୍ରାହି,ତ୍ରାହି ର
ଆର୍ତ୍ତି ଭିତରେ
'ଅଛି' ର କସ୍ତୁରୀ।
ପୁନଶ୍ଚ ଆରମ୍ଭ....
ସମ୍ଭାବନା ସବୁ ତୁମର ରଚିତ,
ଏଇତ ଜୀବନ
ବିନଷ୍ଟି ଭିତରେ ସର୍ଜନାର
ଓଁକାର ସଙ୍ଗୀତ ।
