ନାରୀ
ନାରୀ
ଗୋଟିଏ ମୁଦ୍ରାର ଆମେ ଦୁଇ ପାର୍ଶ୍ଵ
ଗୋଟେ ପଟେ ନାରୀ ଅନ୍ୟ ପଟେ ପୁରୁଷ।
ଗୋଟିଏ ସମାଜର ଆମେ ଦୁଇ ଅଂଶ
ଜଣେ ନାରୀ ଆଉ ଅନ୍ୟଟି ପୁରୁଷ।
କେବେ ସିଏ ମାଆ କେବେ ସେ ଭଗିନୀ
କର୍ତ୍ତବ୍ୟରେ ସେ କେବେ ହେଳା କରେନି
କେବେ ସେ ଦେବୀ କେବେ ସେ ସଙ୍ଗିନୀ
ମର୍ଯ୍ୟାଦା ପାଇଁ ନୀତି ମରେ ଅଭାଗିନୀ।
ଅବଳା ଦୁର୍ବଳା ସରଳ ନିରୀହ
ସହେ ନିର୍ଯ୍ୟାତନା ପିଏ ଆଖି ଲୁହ
ଭ୍ରୂଣହତ୍ୟା ସଙ୍ଗେ କପଟୀ ସନ୍ଦେହ
ଯୌତୁକର ବ୍ୟଥା ସାଙ୍ଗକୁ ବିରହ।
ଲାଞ୍ଚିତ ବାଞ୍ଚିତ ପୁଣି ସେ ଅବହେଳିତ
ସମ୍ମାନ ପିପାସୁ ଭାବେ ବଞ୍ଚିଅଛି ସେତ
ସମାଜର ମାନଦଣ୍ଡ ହେଲେ ପରିବର୍ତ୍ତିତ
ଦେଖିବା ପ୍ରତିଭା ତୁମ ଏ ସାରା ଜଗତ।
ଏକବିଂଶ ଶତାଦ୍ଦୀରେ ଦେଲୁ ଆମେ ପୟ
ଦେଖାଅ ପ୍ରତିଭା ତୁମେ କର ନାହିଁ ଭୟ
ସମାଜର ପ୍ରତି ବର୍ଗେ ହେଉ ତୁମର ବିଜୟ
ନାରୀ ଶକ୍ତି ସୂର୍ଯ୍ୟ ଶୀଘ୍ର ହେଉ ଯେ ଉଦୟ।
ସାଜି ତୁମେ ପୋଲିସ ସାଜିକି ଡାକ୍ତର
ହଜିଥିବା ସମ୍ମାନ ତୁମେ ନିଜେ ହାସଲ କର
ପ୍ରମାଣିତ କରିଚାଲ ନିଜେ ନିଜକୁ ଏଥର
ଯେ ତୁମେ ମଧ୍ୟ ଯାତ୍ରୀ ସେଇ ସମାନ ପଥର।
ନାରୀରୁ ହିଁ ଜାତ ଏ ସାରା ଜଗତ
ନାରୀ ହିଁ ଆମର ଅମୂଲ୍ୟ ସମ୍ପଦ
ଯେବେ ଉଭୟ ହୋଇବେ ସମ ସମ୍ମାନିତ
ତେବେ ବିଶ୍ୱନିଆନ୍ତାଙ୍କ ମନ ହୋଇବ ତୃପତ।
