ନାରୀ ତୁ କେଉଁଁ ଧାତୁରେ ଗଢା
ନାରୀ ତୁ କେଉଁଁ ଧାତୁରେ ଗଢା
ସମୟ ସମୁଦ୍ରରେ
ସୁଖର ବୋଇତ ହରେଇ,
ମୁଁ ସାଜିଥିଲି
ସର୍ବହରା ସୌଦାଗର ।
ହାରାସ୍ ବନ୍ଦରରେ ହୃଦୟ
ହକାଳୁ ଥିବା ବେଳେ
ମନ ବେଳା ଭୂଇଁରେ
ଅଜାଣତେ ଆଙ୍କି ହୋଇଗଲା
ତୁମ ପାଦ ଚିହ୍ନ,
ପରଖୁ ପରଖୁ
ପ୍ରେମର ରୂପ ନେଲା ।
ତା' ପରେ
ଶଙ୍ଖାରିର ପ୍ଲାଷ୍ଟିକ ବାକ୍ସରେ
ସାଇତା ଚୁଡି
ତୁମ ହାତରେ ରୁଣ୍ ଝୁଣ୍ ହୋଇ
ବାଜି ଉଠିଲା,
ଯେମିତି ଗଭୀର ସମୁଦ୍ରରୁ ଭାସି ଆସୁଥିବା ବତୀଘର ସତର୍କ ଘଣ୍ଟି ।
ମୋ ହାତର ସିନ୍ଦୁର ଟୋପା
ତୁମ ସିନ୍ଥି ଲାଲ୍ କରିଦେଲା ପରେ
ତୁମେ ମଙ୍ଗଳ ମନାସି ଚାଲିଲ,
ନିଃସଙ୍ଗ ଥିଲି
ମନ ଥିଲା ଆନମନା
ତୁମରି ଛୁଆଁରେ ଯେମିତି
ସମସ୍ତେ କହିଲେ ମୁଁ କାଳେ ଯୋଗଜନ୍ମା !
ତେଲ ଲୁଣର ମୋ ଅଭାବ
ସଂସାରକୁ ଚଳେଇ ନେଲ
ପତ୍ନୀ ପଣିଆର ପରାକାଷ୍ଟାରେ,
ମୋ ରୋଗିଣା ବୁଢା ବାପକୁ
ଅବହେଳା ନ କରି
ଆଦର ସେବା ଯତ୍ନରେ
ନିଜକୁ ନିୟୋଜିତ କରିନେଲ ।
ମାଆ ଆଖିକୁ ଦେଖା ଯାଏନି ବୋଲି ସକାଳ ,ସଞ୍ଜରେ
ଭାଗବତ ,ଗୀତା ପଢେଇ ଶୁଣାଉ ଥିଲ ସାଜିଥିଲ ତା ପାଇଁ କୁଳ ଲକ୍ଷ୍ମୀ,
ମୋ ଭାଇ, ଭଉଣୀ ପାଇଁ
ତୁମେ ଭାଉଜ ନ ହୋଇ
ମାଆ ସାଜିଥିଲ ।
ମୋ ରକ୍ତର ପ୍ରତିଛବି
ଦେଖିବା ପାଇଁ ମୁଁ
ଯେବେ ମନସ୍ତ କଲି
ପୁତ୍ର ସନ୍ତାନର ଜନକ ସଜେଇଲ,
ଆଦର ଯତନରେ ତୁମେ
ସଜେଇନେଲ ମୋ ଘର
ଯେମିତ ସରଗର ମାଟି ମଣ୍ତପ ।
ଇଚ୍ଛାଥିଲେ ବି ସଂସାର ଜଞ୍ଜାଳର
କୋଳହାଳ ଭିତରେ ଦିନ ସାରା
ଦୂରତାକୁ ସାଥି କରୁଥିଲେ,
ରାତି ହେଲେ ପୁଣି ଶୋଇବା ଶେଜରେ ହେଉଥିଲା ମନ ଦିଆ ନିଆ ।
ସେ ଦିନ ଦେହ ସାରା ଦରଜରେ
ଭରି ଯାଉଥିଲା
କ୍ଲାନ୍ତିକୁ ଓହ୍ଲାଇ ଦେବା ପାଇଁ
ମୁଁ ଆଗୁଆ ଧରି ନେଇଥିଲି ବିଛଣା,
ରାତି ଗାଢ ହେଇଯାଇଥାଏ
ହଠାତ୍ ନିଦ ଭାଙ୍ଗିଗଲା
ତୁମକୁ ପାଇଲି ନାହିଁ
ମୋ ଆବଦ୍ଧ କୋଠରୀରେ !
ଦର ଆଉଜା କବାଟ
ରାତି ଅନ୍ଧାରରେ ସମସ୍ତେ
ନିଦ୍ରିତ ମୁଦ୍ରାରେ ରତ,
ଯେତେ ଖୋଜିଲି ପାଇଲିନି ।
ଅବଶୋଷରେ ଆଉଟୁ ପାଉଟୁ
ମନ ହେଉଥିଲା ବେଳେ
କାନରେ ତୋଳିନେଲି ସ୍ୱର,
ସ୍ୱର ଥିଲା ମୋର ଖୁବ୍ ଚିହ୍ନା
ଦେଖିଲି ଘରର ବାରିପଟୁ
ଭାସି ଆସୁଥିଲା ସେ ଶବ୍ଦ
ଗାଢ ଅନ୍ଧାର ରାତିକୁ
ମୁହଁ ଦିଶୁଥିଲା ଝାପ୍ସା ।
ସେ ଅନ୍ଧାର ଭିତରେ
ତୁମେ ଏକା ନଥିଲ
ଥିଲା ଆଉ ଗୋଟେ ଅଚିହ୍ନା ମୁହଁ
କାହା ବାହୁ ବନ୍ଧନରେ
ଭିଡି ହୋଇଥିଲ ତୁମେ
ପର ପୁରୁଷର ପ୍ରଶସ୍ତ ଛାତିରେ
ସଂଭୋଗର ସ୍ୱାଦ ସାଉଁଟୁ ଥିଲ ।
ଛିଃ !
ମୋ ଅଜଣାତରେ କେତେ ରାତି
ଏମିତି ତୁମେ କାଇଦାରେ
ଏରୁଣ୍ତି ଡେଇଁ.....!
ବାଃ..ବାଃ..ଶବ୍ବ
ନିଅଣ୍ଟ ପଡୁଥିଲା ତୁମ ନାରୀତ୍ୱକୁ
ବିଟପୀ,ବାରଙ୍ଗନା ସଜେଇବା ପାଇଁ....।
ମୋ ଆଖିରେ ଧୂଳି ଦେଇ
ଚୋରା ପିରତୀ କରୁ ନଥିବ
ଭାବି ନୀରବରେ ଚାଲି ଆସିଲି
ତାଗିଦ୍ ର ତଲୁଆର ଧରି
ଶାସନ କରିବା ପରିବର୍ତ୍ତେ,
ତୁମ ପାରିଲା ପଣିଆର ନମୁନା
ମୋତେ ସ୍ତବ୍ଧ କରିଦେଲା !!
ପରିଣତ ବୟସର ସଂସାର
ଉଜୁଡା ନଇର ଚୋରାବାଲି
ଏକଥା ତୁମକୁ ନ ବୁଝେଇ
ନିଜ ପିଠି ନିଜେ ଥାପୁଡେଇ
କହିଲି ....
"ନାରୀ ତୁ କେଉଁ ଧାତୁରେ ଗଢା ?"
ଦାଶରଥି ସାହୁ
କଳମ୍ବ/ଗଜାଂମ
