ନାରୀ ତମେ ପୁଣ୍ୟତୋୟା
ନାରୀ ତମେ ପୁଣ୍ୟତୋୟା
ଫଗୁଣରେ ତୁମେ କୋକିଳର ସୁର
ଚନ୍ଦନ ବନର ବାସ୍ନା
ମଳୟର ତୁମେ ମଧୁର ମୂର୍ଚ୍ଛନା
ପୂର୍ଣ୍ଣିମା ରାତ୍ରିର ଜ୍ୟୋସ୍ନା ।।
ବିଶ୍ବାସ ର ତୁମେ ଅଖଣ୍ଡ ଦୀପାଳି
କେବେ ଛାଇ କେବେ ଖରା
କେବେ ଲହୁ ତୁମେ ଲୁହ ପୁଣି କେବେ
ସୁନା ଝରା ରୂପା ଝରା ।।
କଳକଳ ନଈ ତୁମେ ସ୍ନିଗ୍ଧଧାରା
ଝରୁଥାଅ ଢଳଢଳ
ଧରିତ୍ରୀର ସୁଗନ୍ଧିତ ତପୋବନେ
ତୁମେ ପୁଣ୍ୟର ହିଲ୍ଲୋଳ ।।
ତୁମରି ହସରେ ହସେ ସସାଗରା
ହସେ ସୃଷ୍ଟି ଶତଦଳ
ତୁମରି ଆଖିର ଅଗ୍ନିର ସ୍ଫୁଲିଙ୍ଗ
ରଚେ ଧ୍ବଂସର କରାଳ ।।
ଦୟା, କ୍ଷମା, ତିତିକ୍ଷାର ସ୍ରୋତାସ୍ବିନୀ
ସେବା,ତ୍ୟାଗର ପ୍ରତୀକ
ତମିସ୍ରାରେ ତୁମେ ଶୁଭ୍ର ଜ୍ୟୋତିଧାରା
ପୁଣି ସ୍ତୁତିର ସ୍ତବକ ।।
ଆଖିରେ ଆଖିଏ ସପନକୁ ନେଇ
ଗଢ ସୁବର୍ଣ୍ଣ ମହଲ
ସମ୍ପର୍କର ଇନ୍ଦ୍ରଧନୁ ସାତରଂଗେ
ସଦା ହୁଏ ଝଲମଲ ।।
କୃଷ୍ଣଚୂଡା ରଂଗ ନାଲି ଓଢଣୀରେ
ପାର୍ବଣର ମଧୁମାସ
ସମ୍ପର୍କର ନଟେଇଟା ଲମ୍ବି ଯାଏ
ଛୁଏଁ ମାଟିରୁ ଆକାଶ ।।
ଖୋଜୁଥାଅ ତୁମେ ଚିହ୍ନା ମୁହଁ କେତେ
ଅଚିହ୍ନା ବନ୍ଧୁର ପଥେ
ଜଳୁଥାଅ ଦିକି ଦିକି ଦୀପଶିଖା
ଅଶାନ୍ତ ଝଡର ସାଥେ ।।
ପୂର୍ଣ୍ଣିମାର ରାତି ଅନ୍ତ ହୁଏ ଯେବେ
ମାଡି ଆସେ ଅମାରାତି
ତୁମେ ସୀମନ୍ତିନୀ ରାଗର ରାଗିଣୀ
ଢାଳିଦିଅ ମଧୁ ପ୍ରୀତି ।।
ବିଷର ପିଆଲା ହାତେ ଧରି ତୁମେ
ହସୁଥାଅ କିରିକିରି
ଜାୟାରୁ ଜନନୀ ଭଗିନୀ ରୂପିଣୀ
ଦିଅ ଶୂନ୍ୟ କୁମ୍ଭ ଭରି ।।
ଅବଳା ଦୁର୍ବଳା ନୁହଁ ତୁମେ କେବେ
ସ୍ବୟଂସିଦ୍ଧା ମହାମାୟା
ଶୋଷଣ କଷଣ ଯେତେ କାମୁକତା
ଜାଳିଦିଅ ହେ ପୂଣ୍ୟତୋୟା !!
