ନାରୀ ସେ ଅନିନ୍ଦ୍ୟନୀ
ନାରୀ ସେ ଅନିନ୍ଦ୍ୟନୀ
ଆକାଶ ରୁ ଝରିଆସି ଅମୃତ ବିନ୍ଦୁଏ
ପାଲଟିଯାଏ ଗିରିଗର୍ଭା ନଦୀ ଟିଏ
ବହିଚାଲେ ଶୈଶବ ରୁ ବାର୍ଦ୍ଧକ୍ୟ ପର୍ଯ୍ୟନ୍ତ
ଅସୁମାରୀ ଆଶା ଓ ଆବେଗ କୁ ନେଇ ।
ବୁକୁତଳେ ଚାପିରଖେ ଯେତେସବୁ
ଲୁହ-କୋହ, ମାନ-ଅପମାନ,
ସହିପାରେ ଚରମ ଶ୍ବାସ ରୁଦ୍ଧ
ଆଣିବାକୁ ସୃଷ୍ଟି ଟି ତାହାର,
ଜୀବନ ବି ଦେଇପାରେ
ଆୟୁଷ ବି ବାଣ୍ଟିପାରେ
ସିଏ ଏକ ନାରୀ
ଅନିନ୍ଦ୍ୟନୀ ପ୍ରକୃତି ମା'ର ।
ନୁହେଁ ସେ ବନିତା ଲତା
ଅବା ପଂଜୁରୀ ର ଶାରୀ,
ବଂଚିପାରେ ବିନା ଆଶ୍ରୟ ରେ
ଉଡ଼ିଯାଇ ଛୁଇଁପାରେ
ମନୋରମ ମେଘମାଳା ।
ଚାହେଁନି ସେ ବନ୍ଦୀଗୃହ
କାହା ଅବିବେକୀ,ଅବୁଝା ପଣର ।
ଯୌବନ ତା'ଲୋଡେନାହିଁ ରହିବାକୁ
ଅନ୍ଧଗଳି ,ଭୋଗ ଲାଳସାରେ ,
ସହିବାକୁ ବାଧ୍ୟ ହୁଏ କେବେ
ନୃଶଂସତା ,ବର୍ବରତା କେତେ
ଏ ସଂସାର ପଙ୍କ ର ।
ଅମୂଲ୍ୟ ତା'ଦୁଇ ଟୋପା ଲୁହ
କେଉଁଠାରେ ଧ୍ବଂସ କରେ
କୁରୁବଂଶ ଅବା ସ୍ବର୍ଣ୍ଣ ଲଙ୍କା
କେତେ ସଭ୍ୟତା ,ସହର ।
ବଂଚିଛି ସେ ବଂଚିଥିବ
ଧରଣୀର ଉଷର ଭୂଇଁରେ
ହାରିନାହିଁ କେଉଁଠି ବି ନାରୀପଣ ତାର
ମରିନି ତା'ପ୍ରାଣତନ୍ତ୍ରୀ ଉଷ୍ଣା
ସ୍ନେହ ଆଉ ପ୍ରେମ ସଂଭାରରେ,
ସମୟକୁ ସିଦ୍ଧ କରେ ନାରୀର ତପସ୍ୟା ।
