ନାରୀ କେବେ
ନାରୀ କେବେ
ନାରୀ କେବେ ମାଆ କେବେ ଝିଅଟିଏ
କେବେ ପୁଣି ସେ ଭଉଣୀ
ଆଈ ହୋଇ କେବେ କାହାଣୀ ଶୁଣାଏ
ସେଇ ବୁଢ଼ୀ ଅସୁରୁଣୀ ।
ବୁଦ୍ଧି ଜ୍ଞାନ ପାଇ ଜୀବନ ଲଢେଇ
ଏକା ଲଡ଼ିଯାଏ ନାରୀ
ସବୁଥିରେ ଆଜି ପାରଙ୍ଗମ ସିଏ
ପ୍ରିୟ ସାଜିଛି ସବୁରି ।
ସୁନ୍ଦରୀ ରମଣୀ ଭୟ କରେ ନାହିଁ
ଆଜିର କାପୁରୁଷକୁ
ସହଜରେ ନିଜେ ରକ୍ଷା କରି ନିଏ
ସମ୍ଭାଳି ନିଜେ ନିଜକୁ ।
ଆଜିର ଦୁହିତା ସର୍ବାଙ୍ଗୀନ କର୍ତା
ସଜାଏ ନିଜେ ନିଜକୁ
ଜନନୀ ଜନକ ଉଲ୍ଲସିତ ଆଜି
ଦେଖି ନିଜ ଦୁହିତାକୁ ।
ବିଶାଳ ଅବନୀ ତହିଁରେ କାମିନୀ
ଦେଖାଇଲା ନିଜ ଜ୍ଞାନ
ନାରୀ କେବେ ନୁହେଁ କାହାଠୁ ବି କ୍ଷୁଦ୍ର
ବଢ଼ାଇ ନିଜ ସମ୍ମାନ ।
ଛୋଟ ଠାରୁ ବଡ଼ କାର୍ଯ୍ୟ ଗୃହ ମଧ୍ୟେ
ନାରୀର ପାରଦର୍ଶିତା
ଦୃଷ୍ଟିଗୋଚର ଏ ପୁଲ୍ଲକିତ ଜନ
ଉନ୍ନତିରେ ଦିଶେ ଭିନ୍ନତା ।
ନାରୀ ବିହୁନେ ସୃଷ୍ଟି ନାଶ ଜଣିଥ
ନାରୀ ଏକା ଦିବ୍ୟ ଶକ୍ତି
ଜନନୀ ଗର୍ଭରୁ ଜନମି ନିଜକୁ
କରି ନିଅ ଥରେ ମୁକ୍ତି ।
