ନାରୀ ଏକ ନଦୀ
ନାରୀ ଏକ ନଦୀ
ସୃଷ୍ଟିର ଅନନ୍ୟ ଉପହାର ନାରୀ ...
ନଦୀ ପରି କେଉଁ ଗିରି କନ୍ଦର ରୁ ତା ଜନ୍ମ ତ
କେବେ ଆଉଁସ ରାତିର କଳାପରଦା ତଳୁ ,
କେବେ ରାକା ରଜନୀର ବେପଥୁରେ
ତା ଆଗମନ ।
ନାରୀ ଏକ ରଜନୀର ଶୋକ
କେବେ ପାଷାଣୀର ଇତିବୃତ୍ତ ,
ନାରୀ ଏକ ସଜଳ ସକାଳ
ମାର୍ଗଶୀର ମାଣବସା ଗୁରୁବାର ।
ସହିବାର ସମସ୍ତ ସାମର୍ଥ୍ୟ ରେ ସେ
ସ୍ବୟଂସହା ଧରିତ୍ରୀ
ପୁଲକର ଅମନ୍ଦଗାମିନୀ ସ୍ରୋତସ୍ବନୀ
ସେ ଲକ୍ଷ୍ମୀ ସରସ୍ବତୀ
କେବେ ଅଗ୍ନି ସମ୍ଭୂତା
କେବେ ଖର୍ପଧାରିଣୀ ।
ନାରୀ ଟିଏ ଛୁଇଁ ଯାଏ ନଦୀ ପରି
କେତେ ବନ ସବୁଜ ଉପତ୍ୟକା
କେବେ ବଧୂପରି ଦୁଇ କୁଳ ,
କେବେ କନ୍ୟାର ସୌକୁମାର୍ଯ୍ୟରେ
ହୃଦୟ ହାରିଣୀ ସେ
କେବେ ତାରୁଣ୍ୟର ତାରକସିରେ
ଭୂବନ ମୋହିନୀ ',
ନାରୀଟିଏ ଯୁଗେ ଯୁଗେ ଚିରବନ୍ଦ୍ୟା
ସକଳ ଜନନୀ ।
ଏବେ କେଉଁ ଅସୂର୍ଯ୍ୟଂପଶ୍ୟା
ପାପର ପଣ୍ୟ ସାଜେ ,
ଭାଙ୍ଗୁଥାଏ ସଜଳ ସପନ ,
କେଉଁଠି ବିଡମ୍ବିତ ଭାଗ୍ୟ
ବିଦାରିତ ବିଧୂର ଜୀବନ ।
କଅଁଳ କଳିକା କେବେ ବୃନ୍ତ ଚ୍ୟୁତ
ଧର୍ଷଣର ଛାପ
ଯାତନାର ନିଗଡରେ ବାହୁନେ କପୋତୀ
ଲିଭୁଥାଏ ସଞ୍ଜ ସଳିତାର ଦୀପ !
ନାରୀ ଟିଏ ପୂଣ୍ୟର ଗଙ୍ଗୋତ୍ରୀ
କରନାହିଁ ତାକୁ ତିରସ୍କାର ,
ନାରୀ ଟିଏ ମୁକ୍ତିର ବର୍ତ୍ତିକା
ବିଦୂରିତ ଯେତେ ଯା ଅନ୍ଧାର ।
ମାତୃତ୍ବର କୋମଳ ଗାନ୍ଧାର ମମତାର ଫୁଲ
ତା ହୃଦ ସରୋବରେ ଦେଖ
କେତେ ଅଭିନବ ଅଭୟ ଝଙ୍କାର !!
