ନାଁ ତା'ରଦାଦନ
ନାଁ ତା'ରଦାଦନ
ସମୟକୁ ସଂଖ୍ୟା ରେ
ନୁହେଁ, ସେ ଗଣିବସେ
ନିଗିଡ଼ା ସ୍ୱେଦରେ...
ଫଟା ପାଦର ଆଁ କରି
ରହିଥିବା କ୍ଷତ ଚିହ୍ନକୁ ସେ
ମଲମରେ ନୁହେଁ, ଆଉ କାହାର
ଭୋକରେ ଉପଶମ କରାଏ।।୧।।
ସ୍ୱପ୍ନ ସାତ ଦରିଆ ସେପାରି
ଆଶା ଅସୁମାରୀ
ନିଜକଥାକୁ ଭୁଲି ସେ
ଭୂଇଁରେ ଲୋଟିବା ଶିଖିଛି,
ତା' ପାଦ ଦିଟା
ଋକୁଣା ରଥ..
କେବେ ଦେଖେଇନି ତମକୁ
ତା' ବ୍ୟଥାର ବଥ...
ତା' ପାଇଁ ସହଜ
ସବୁ ଶପଥ।।୨।।
ତମେ ମିଛ ଅଭିନୟ ଦେଖି
ରଙ୍ଗୀନ ପ୍ରସାଧାନ ଦେଖି
ତାଳି ମାର, ଆଉ ତା'କୁ
ତା' ଛିଣ୍ଡା କନାରେ ତାଳି
ପକେଇ ଜୀବନକୁ ବଳି
ପକେଇବା
ବେଶ୍ ଭଲ ଭାବେ ଜଣା।।୩।।
ତା' ବେଁଶିରାକୁ କେବେ
ବାର୍ଦ୍ଧକ୍ୟ ଛୁଇଁ ପାରେନା
ସେ ତା' ଆଖିତଳ କଳାଦାଗକୁ
ଛପେଇ ଦେଇ ଆଉ
କାହା ଆଖିରେ କଜ୍ଜଳ ବୋଳିଦିଏ,
ତମେ ତା' ପେଜୁଆ ଆଖିକୁ
ତାଗିଦ କରନା
ସେ ତୁମ ଖାନଦାନି ନାଲି
ଆଖିକୁ କେବେ ଡରେନା।।୪।।
ତମ ନଜରରେ
ସେ ଗୋଟେ ଅପାଠୁଆ,
କାଗଜ କଲମର ହିସାବ କିତାବ
ତା'କୁ ଜଣା ନାହିଁ,
ହେଲେ ସେ ବେହିସାବୀ ନୁହେଁ
ବେଦରଦୀ ନୁହେଁ,
ବେଇମାନ ନୁହେଁ।।୫।।
ହଁ ସିଏ ସ୍ୱାର୍ଥପର
ତମ ନଜରରେ
ଜନମ ଭୂଇଁର ଜନମ ଯାତନାକୁ,
ସେ ନିମିଷକେ ଭୁଲିଛି,
ଛାଡ଼ି ପଳେଇଛି...
ତା' ପିଣ୍ଡାରେ ପେଟଉ ଥିବା
ପିଣ୍ଡକୁ ଚାଲି ଶିଖେଇବାର ସ୍ୱପ୍ନ
ତା'କୁ ବାଇ କରିଛି।।୬।।
ତା' ଦେହରେ କେବେ
କଣ୍ଟା ଫୁଟେନା
ହେଲେ ସେଠି ମାଟି ତାଡ଼ିଆ
ବସେ ଆଉ ଖଇ ଫୁଟେ,
ନିଜ ପାଇଁ ନହେଲା ନାହିଁ ଆଉ
କାହା ପାଇଁ ସେ ସଦା
ଏକ ଅଲିଭା ସମ୍ଭାବନା।।୭।।
କ'ଣ ଆଉ ସେ କରିଥାଆନ୍ତା
ଦିନେ ତମରି ହାତରୁ
ପାଇଥିବା ତା' ସଫଳତାର
ପ୍ରମାଣପତ୍ର ଯେ ଗୋଟେ ଅପଢ଼ା
ହାତଲେଖା ଚିଠି ଏକଥା ତା'କୁ
ବୁଝିବାକୁ ଡେରି ହେଇଗଲା,
କିଂକର୍ତ୍ତବ୍ୟବିମୂଢ଼ ପାଲଟିଗଲା ସେ
ଶ୍ୱେତ ପତ୍ରକୁ ଉଇହୁଙ୍କାର
ପାଖରେ ବନ୍ଧ କବାଟ
କରିଦେଇ ଆସିଲା।।୮।।
ତା' ବୟସ ଯେତେବେଳେ
ତା'କୁ ବାହୁନି ଉଠୁଥିଲା
ବର ଓହଳ ସହ
ପ୍ରତିଯୋଗିତା କରିବସିଲା ସେ
ଆଉ ନିଜ ବକ୍ଷରେ ଶୁଣିଲା
ତା' ଜାତି ଭାଇର
କଇଁ କଇଁ କାନ୍ଦ,
ପ୍ରଶସ୍ତ ବାହୁ ମେଲେଇ ଦେଲା
ସେ, ଆଉ ସାଜିଗଲା
"ଦାଦନ"ର କାନ୍ଧ।।୯।।
