ମୂର୍ତ୍ୟୁର କୋଳେ
ମୂର୍ତ୍ୟୁର କୋଳେ
ଆସିଥିଲୁ କାନ୍ଦି ଯିବୁ ଯେ କନ୍ଦେଇ
ହୋଇବ ସବୁ ସାତପର,
ମୃତ୍ୟୁର ଚାଦର ଘୋଡ଼ି ହେଲେ ଥରେ
ଜୀବ ପାଲଟିବ ମୁର୍ଦାର ।୧।
ଛାଡିଯିବୁ ସବୁ ଧନ ରତନ ଯେ
ଶୁଣିବୁ ନାହିଁ କଣ୍ଠସ୍ଵର,
ଭାଙ୍ଗିଯିବ ତୋର ସବୁ ଅହଂକାର
ମାଟିରେ ମିଶିଲେ ଶରୀର ।୨।
ଲୋଭରେ ଗ୍ରାସିତ ମାୟାରେ ଜଡ଼ିତ
ହୋଇଛୁ କେତେ ସ୍ଵାର୍ଥପର,
ପିଲା ଛୁଆଁ ପତ୍ନୀ ପ୍ରେମରେ ତୁ ବାଇ
ଝୁରୁ ଖାଲି ମୋ ପରିବାର ।୩।
ବୃଥାହୀନ ଏଠି ତୋର ସବୁ ବଳ
ସମୟ ନିଏ ଧରି ବାଳ,
ଶୋଇବାକୁ ହେବ ମରଣର କୋଳେ
ଭୋଗିବୁ ସବୁ କର୍ମ ଫଳ ।୪।
ନିଷ୍ପ୍ରଭ ହୋଇବେ ଅଷ୍ଟ ଐସୁର୍ୟ୍ଯ
ଝଡ଼ିବ କାମନା ପୁଷ୍ପ,
କ୍ଷମତା ଦକ୍ଷତା ପୌରୁଷର ଆଭା
ନିମିଷକେ ହେବେ ବାଷ୍ପ ।୫।
ଦକ୍ଷିଣ ହସ୍ତର କରମର ଭାର
ନିଏ କି ଏଠି ବାମ କର,
ପ୍ରାରବ୍ଧର ଋଣ ସୁଝିବା ଯାଏ ତୁ
ରହିଥିବୁ ଏହି ନର୍କର ।୬।
ଜନମର ଅର୍ଥ ମୃତ୍ୟୁ ସୁନିଶ୍ଚିତ
କାହିଁକି ପ୍ରାଣେ ଏତେ ଡର,
ସୀମିତ ଦିନର ଜୀବନ ଆମର
କର୍ମ କରିବା ତର ତର ।୭।
ଭଲ ସାଥେ ଭଲ ହୋଇଲେ ଗୁଣନ
ବିପର୍ଯ୍ୟୟ ହୋଇବେ ଭାଗ,
ସଂସାର ଅଟଇ ଗଣିତର ବହି
ଚାଲୁଥାଏ ଯୋଗ ବିୟୋଗ ।୮।
ଶରୀର ନଶ୍ଵର ପ୍ରାଣ ପା ଅଜର
ରହେ ସଦା ସେଯେ ଅମର,
ପୁନର୍ ଜନ୍ମର ବିଶ୍ୱାସ ଆମର
ଭଜିବା ସଦା ହରିହର ।୯।
