ମୁଠାଏ ଆଲୋକ
ମୁଠାଏ ଆଲୋକ
ମୁଠାଏ ଆଲୋକ
-------------
ଆକାଶର ନୀଳ ଅଗଣାରେ
ଝଲମଲ ହେଲାଣି
ମୁଠାଏ ଆଲୋକର ମଧୁର ପାର୍ବଣ
ବିଶ୍ବାସର ନାଭିକେନ୍ଦ୍ରରୁ ଗଜୁରିଲାଣି
ସ୍ନେହ ସଂପ୍ରୀତି ଓ ଭ୍ରାତୃତ୍ବର ଗୁଳ୍ମ,
ଅପସରି ଗଲାଣି
ଅନ୍ଧକାରର ଅନ୍ଧ ଦୂରତ୍ବ
ମହମହ ଅଗରୁ ଚନ୍ଦନେ ରୋମାଞ୍ଚିତ
ଦେହ ମନ ପ୍ରାଣ ଓ
ମୋ ଭାବନାର ସବୁଜ ଆରଣ୍ୟ ।
ଅରୁଣ ଅର୍ଚ୍ଚିତ ହେଲାଣି ବିଶ୍ବାସର
ଯେତେ ସୂକ୍ଷ୍ମ ଆସ୍ତରଣ
ପାହିଲାଣି ଅମାରାତି ବହଳ ଅନ୍ଧାର
ପାପୁଲିରେ ପାପୁଲିଏ ଦିବ୍ୟ ଅନୁଭବ
ଫର ଫର ଉଡିଲାଣି
ନବ୍ୟ ଚେତନାର ଭବ୍ୟ ମହକରେ ।
ଶରତର ଶେଷ ପାହାଚରେ
ଶୀତର ଆଦ୍ୟ ସ୍ତବକରେ
ହସିଲାଣି ଦୀପଶିଖା
ଦୀପାଳିର ଅମୃତ ସମ୍ମୋହନ
ମାଟିକୁ ଛୁଇଁଲାଣି ସୌହାର୍ଦ୍ଦର ରଙ୍ଗ
ଏକତାର ଅସ୍ତରାଗ ,
ମଧୁର କାକଳିରେ ମୁଖରିତ
ମାଟିରୁ ଆକାଶ
ଲିଭିଲାଣି ଗୁଳି ଗୋଳା କମାଣର ଗନ୍ଧ
ହୃଦୟକୁ ଛୁଇଁଲାଣି ନୀବିଡ ଅଶ୍ଳେଷ
ବାଜିଲାଣି ତୂର୍ଯ୍ୟନାଦ ଜୀବନ ସଂଗ୍ରାମେ
ହସେ କାଶତଣ୍ଡୀ ନଈପଠାର
ନିର୍ଜନ ବେଳାରେ ,
ଝଂକାର ତୋଳେ ମୁକ୍ତିର ଆବାହନୀ
ଧରିତ୍ରୀର ମୁକ୍ତ ଓ ସ୍ନିଗ୍ଧ ଅଙ୍ଗନେ ।
