STORYMIRROR

Sujata Mohapatra

Others

5.0  

Sujata Mohapatra

Others

ମୁଷ୍ଟିରୁ ସମଷ୍ଟିର ଯାତ୍ରା

ମୁଷ୍ଟିରୁ ସମଷ୍ଟିର ଯାତ୍ରା

2 mins
412




ହସୁଛି ପବନ ଏଠି ମୋ ପ୍ରିୟା ର ହସ ରେ ମିଶେଇ

ଫୁଲ ବି ସୁନ୍ଦର ଦିଶେ ଯେହେତୁ ସେ

ମୋ ପ୍ରିୟା ର ଗଭା ଦେଶେ ହୋଇଅଛି ନାଇ ।

ପବନ ସୁଗନ୍ଧରେ ଭରା

ଯେଣୁ ସେ ଛୁଇଁ କି ଆସେ ମୋ ପ୍ରିୟା ର ଦେହ

ରସବନ୍ତ ପ୍ରାଣ ହୁଏ ଯେବେ

ପାଏ ପରା ମୋ ପ୍ରିୟା ର ସ୍ନେହ ।

ପୂର୍ଣ୍ଣମୀ ର ଆକାଶ ରେ

ଜହ୍ନ ବିତ ଲୁଚକାଳି ଖେଳେ

ଦେଖେ ଯେବେ ପ୍ରିୟା କୁ ମୋ

ଲାଜେ ଲୁଚେ ମେଘଙ୍କର ମେଳେ

ବର୍ଷା ଆଜି ଛନ୍ଦାୟିତ

ମୋ ପ୍ରିୟା ନୂପୁର ର ରୂଣୁଝୁଣୁ ଶବ୍ଦେ....

ମନ ମୋର ପୁଲକିତ

ତା ଦେହ ର ମହ ମହ ଚିହ୍ନା ଚିହ୍ନା ଗନ୍ଧେ ।

ସାଗର ଲହଡି ଭାଙ୍ଗେ

ଯେଣୁ ସେ ଛୁଇଁ ଆସିଛି ମୋ ପ୍ରିୟା ର

କଟିଦେଶ, ବାହୁ ବା ଭୃଲତା ...

ସୂର୍ଯ୍ୟ ଦେଖ କେତେ ଚମକୁଛି

ଯେମିତି ଝଟକୁ ଥିଲା

ସିନ୍ଦୁରିତ ମୋ ପ୍ରିୟାର ମଥା ।


ଭୂମି ରୁ ଭୂମା ଯାଏ

ସବୁ କିଛି ପ୍ରିୟା ମୟ ଆଜି

ମୋ ଠାରୁ ଦୂରେଇ ଗଲ ଯେବେ ପ୍ରିୟେ

ନବ ବଧୂ ସାଜି

ଧରଣୀ ବି ନାଚେ ଦେଖ

ପାଇ ଛୁଆଁ ତୁମରି ସ୍ପର୍ଶର,

ପଶୁ ପକ୍ଷୀ କୀଟ ବା ପତଙ୍ଗ ...

ସବୁ ଆଜି ଉଲ୍ଲସିତ

ଦେହେ ଲାଗି ସତେ ମୋ ପ୍ରିୟାର ।

ମୋ ଠାରୁ ଦୂରେଇ ଯାଇ

ସଂଚରିଗଲ ପ୍ରିୟା ମୋର ....

ପ୍ରକୃତି ର କୋଣ ଅନୁକୋଣ ରେ,

ସମଗ୍ର ସଂସାର ଆଜି ଦୃଶ୍ୟମାନ

ମୋ ପ୍ରିୟା ଭିତରେ ...

ମୋ ବାହୁ ବନ୍ଧନୀ ଭିତରୁ ମୁକୁଳି

ତୁମେ ଆଜି ପରିବ୍ୟାପ୍ତ ପ୍ରିୟେ ସମଷ୍ଟି ମଧ୍ୟରେ ...

ମୁଁ ତୁମକୁ ଯୋଉଠି ଖୋଜେ .... ସେଠି ପାଏ

ପ୍ରିୟା ମୋର...

ନିଜ ଅଭ୍ୟନ୍ତର ଆଉ ମଧ୍ୟ ପୃଥିବୀ ଭିତରେ...



ମୁଷ୍ଟି ରୁ ସମଷ୍ଟି ର ଯାତ୍ରା....

କେମିତି ପାରିଲ ପ୍ରିୟେ, ଏକାକିନି ?

ଏତେ ସୂକ୍ଷ୍ମ, ଅଲିଅଳି ତୁମେ !!

କେମିତି ପାରିଲ ତୁମେ, ମୋ ବିନା ??

ମୋତେ ବି ଶିଖେଇଦିଅ ଥରେ

ସେ ଯାତ୍ରା ର ସୂତ୍ର...

ମୁଁ ବି ଏକାକାର ହୋଇ ଯିବାକୁ ଚାହୁଁଛି

ତୁମ ସହ !!

ପୃଥ୍ଵୀ ମୟ..., ପ୍ରକୃତି ମୟ....,

ହସ ମୟ..., ବାସ ମୟ.....,

ଛନ୍ଦ ମୟ..., ସ୍ୱପ୍ନ ମୟ....

ହୋଇଯିବାକୁ ଚାହୁଁଛି ମୁଁ ବି

ତୁମ ସହ, ତୁମ ଭଳି

ମୁଷ୍ଟି ରୁ ସମଷ୍ଟି ମୟ...

ସୃଷ୍ଟି ରୁ ସତ୍ତା ମୟ...

ଆକାର ରୁ ନିରାକାର ମୟ

ମୁଁ ବି ହୋଇଯିବାକୁ ଚାହୁଁଛି ...

ମୋ ପ୍ରିୟା ମୟ....

ମୋ ପ୍ରେମ ମୟ...




ସୁଜାତା ମହାପାତ୍ର


Rate this content
Log in