ମୁଁ
ମୁଁ
ତୁମକୁ ରାଜୁତି କରିବାକୁ ଦେଇଥିଲି
ମାରୁଥିଲି ତୁମ ହୁକୁମ
ତୁମ ଛାୟା ତଳେ ଜାକିଜୁକି
ହୋଇ ଥିଲା ମୋ ଅସ୍ତିତ୍ଵ
ନରନାରୀର ପ୍ରେମ, ଗୋଟେ ଯୁଦ୍ଧ
ଆଦର୍ଶର, ଭ୍ରମର, କଳ୍ପନାର, ବିଳାସର
ଦୁର୍ବଳକୁ ନଷ୍ଟ ହୋଇଯିବାକୁ ପଡେ
ଜିତିଯାଏ ବଳବାନ
ବୁଦ୍ଧି ପ୍ରବଳ ହୋଇ ଯାଏ ଇଛାଶକ୍ତି ସହ।
ସ୍ଵାମୀ ଆଉ ପିତାର କର୍ତ୍ତବ୍ୟ
ତା ପରେ.....
ପୁରୁଷର ଆଉ କାମ କ'ଣ?
ସବୁ କବାଟ ବନ୍ଦ କରିଦେଲି
ଏପଟୁ ସେପଟ ତୁମ ପାଦ ଶବ୍ଦ
ତୁମ ହିଂସା ପ୍ରବୃତ୍ତି
ରୋକିବାକୁ ହେବ।
କେତେ ଥର ଚେଷ୍ଟା କରିଛି
ନୂଆ କରି କଅଁଳିବାକୁ
ହେଲେ କୁରାଢି ଧରି
କାଟି ଦେଇଛ ଜଡକୁ ମୋର
ଶୁଖିଗଲିଣି ମୁଁ....ମୋ ଅସ୍ତିତ୍ଵ
ହଲିଗଲାଣି ମୋ ମୂଳଦୁଆ
ଶୁଖିଲା ମରୁଭୂମି ମୋ ଜୀବନ
ହେଲେ
ପଛ ପଟୁ ଗୋଟେ ଛାୟା
ଉଙ୍କି ମାରୁଛି....ମୋ ସମ୍ମାନ
ଅହଲ୍ୟା ମୁଁ, ଦ୍ରୌପଦୀ ମୁଁ
ସୀତା ବି ମୁଁ, ସୃଷ୍ଟି କର୍ତ୍ତୀ ବି ମୁଁ
ଉତ୍ୟକ୍ତ କରନା
ନଚେତ୍ ,ହଜିଯିବାକୁ ତୁମେ
ତୁମ ଅସ୍ତିତ୍ଵ.…
ଆଉ ଠିକ୍ ସେତିକି ବେଳେ
କଡ଼ ଲେଉଟାଉ ଥିବ
ଅନ୍ୟ ଏକ ଯୁଗ।
ପାରମିତା ଷଡ଼ଙ୍ଗୀ।