STORYMIRROR

Banabihari Mishra

Others

3  

Banabihari Mishra

Others

ମୁଁ

ମୁଁ

1 min
219


ଗାଆଁ ଶେଷମୁଣ୍ଡ ବୁଢା ବରଗଛ

ମୋ ଜନମ କେବେ ଜାଣେନା ନିଜେ।

ହେଲେ ମୁଁ ଦେଖିଛି ଲଙ୍ଗଳା ହେଇକି

ଏଠି ଖେଳୁଥିଲେ ଚଇନ ଜେଜେ ।


କେତେ ଝଡଝଞ୍ଜା ମୋ ଛାତି ସହିଛି

ଦେଖିଛି ମୁଁ କେତେ କାନ୍ଦ ଓ ହସ।

ମୋ ନିଜ ଭିତରେ ଚାପି ମୁଁ ରଖିଛି

କେତେ କଥା ଆଉ କେତେ ରହସ୍ୟ ।


ଏଇବାଟେ ଏଇ ଗାଁରୁ ଯାଇଛି

ପାଲିଙ୍କି ଭିତରେ ସୁନା କନିଆଁ ।

ହାଙ୍କୁ ଦାବଲ ବୋହୁ ଯାଉଛିର

ଶବଦ ଶୁଣିଛି ସାରା ଦୁନିଆଁ।


ଥିଲା ମୋ ପାଖରେ ଅଶ୍ୱତ୍ଥ ଗଛଟେ

ଭାବିଥିଲି ସାଥୀ ତାକୁ ଜୀବନେ ।

ଗତ ବାତ୍ୟା ତାକୁ ଦେଲା ଯେ ଉପାଡି

ଏକାକୀ ରହିଛି ମୁଁ ଦୁଃଖମନେ।


ସବୁ ଝଡଝଞ୍ଜା ସହିଯାଉଥିଲି

ହେଲେ ସାଥୀ ଥିଲା ଖରଖରିଟେ।

ତଥାପି ମୋ ପାଇଁ ଭଲ ଥିଲା ସିଏ

ତା ଛୁଆଁରେ ମୁହିଁ ଶିହରି ଉଠେ।


ନାନା ରକମର ପଶୁପକ୍ଷୀ ଆସି

ବାନ୍ଧୁଥିଲେ ବସା ମୋହର ଡାଳେ।

କିଚିରିମିଚିରି ଶବ୍ଦ କରୁଥିଲେ

ତୋଷ ହେଉଥିଲେ ମୋହର ଫଳେ।


କେତେ ଯେ ପଥିକ ଥକା ମାରୁଥିଲେ

ତପତ ନିଦାଘେ ଛାଇରେ ମୋର।

ଛୋଟ ପିଲା ଏଠି ଖେଳ ଖେଳୁଥିଲେ

ବୋହୁଚୋରୀ ଡୁ ଡୁ କେତେ ପ୍ରକାର ।


ମୁଁ ଦେଖିଅଛି ଏଇ ମଣିଷକୁ

ଜନମ ବେଳରୁ ମରିବା ଯାଏ।

ସବୁ ଅତ୍ୟାଚାର ମଣିଷ ଜାତିର

ଦୁଃଖ ସବୁ ଚାପି ନିରବେ ସହେ।


ଏଇଠି ମୋହରି ଡାଳରେ ନିଜକୁ

ଟାଙ୍ଗିଦେଇ ମାରିଦେଲା ସନିଆ।

ସହିପାରିଲାନି ଆଉ ସେ ଯନ୍ତ୍ରଣା

ଯାହା ଦେଇଥିଲା ତାକୁ ଦୁନିଆଁ ।


ଏଇଠୁ ଦେଖିଛି ଗାଁ ମଶାଣିକୁ

କୋକେଇରେ ଯାଏ ମଣିଷ ଶବ।

ତା ପାଇଁ କାନ୍ଦିବା ତାକୁ ଶୁଦ୍ଧ ହେବା

ଦିଦିନିଆ ମଣିଷର ଏ ଭାବ ।


ପତ୍ରଝଡା ଦେଇ ଲଣ୍ଡା ହେଇଗଲେ

ଆସନ୍ତିନି ମୋର ପାଖକୁ କେହି।

ପୁଣି ଲାଗିଯାଏ ଗହଳି ମୋ ମୂଳେ

ପତର କଅଁଳି ଦେଲେ ମୁଁ ଛାଇ।


ଦୁନିଆଁର ରୀତି ଖାଲି ଦେବାନେବା

ଦେଉଥିବା ଯାଏ ସବୁ ନିଜର ।

ଦେବାଟା ଯୋଉଠି ସରିଯାଏ ସେଠି

ନିଜରମାନେ ବି ହୁଅନ୍ତି ପର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍