ମୁଁ ତୁମକୁ ପୁଣି ଭେଟିବି
ମୁଁ ତୁମକୁ ପୁଣି ଭେଟିବି
ମୁଁ ତୁମ ସହ ପୁଣି ମିଶିବି
କେବେ କେମିତି କେତେବେଳେ ମୋତେ କିଛି ଜଣା ନାହିଁ
କିନ୍ତୁ ମୁଁ ତୁମକୁ ପୁଣି ଭେଟିବି
ବୋଧହୁଏ ସକାଳର ପ୍ରଥମ କିରଣଟେ ହୋଇ
ତୁମର ଦିନକୁ ଆଲୋକରେ ଭରି ଦେବି
କିମ୍ବା ରାତିରେ ଯେବେ ତୁମେ ନିଜ ଭାବନାରେ ବୁଡ଼ିଥିବ
ସେତେବେଳେ ଆକାଶର ଚାନ୍ଦ ହୋଇ ତୁମକୁ ଚୁପ୍ ଚାପ୍ ଦେଖୁଥିବି
ହେଲେ ମୁଁ ତୁମକୁ ପୁଣି ଭେଟିବି
କେବେ ଗାଧୋଇବା ଘର ସାୱାରର ପାଣି ଟୋପା ହୋଇ
ତୁମର ପ୍ରତ୍ୟେକ ଅଙ୍ଗକୁ ଛୁଇଁଯିବି
କେବେ ଥଣ୍ଡା ନିଃଶ୍ୱାସଟେ ହୋଇ
ତୁମର ଛାତିରେ କିଛି ସମୟ ପାଇଁ ରହିଯିବି
ହେଲେ ମୁଁ ତୁମକୁ ପୁଣି ଭେଟିବି।
କେବେ ଗରମରେ ଥଣ୍ଡା ପବନଟେ ହୋଇ
ତୁମ ଦେହକୁ ଛୁଇଁ ମୁହଁରେ ଗୋଟେ ହସ ଖେଳାଇ ଦେବି
କେବେ ଶୀତରେ ଶୀତର ଏକ ଲହର ହୋଇ
ତୁମ ଦେହ କମ୍ପାଇ ଦେଇ ଚୁପ୍ ଚାପ୍ ହସୁଥିବି।
ହେଲେ ମୁଁ ତୁମକୁ ପୁଣି ଭେଟିବି।
କେବେ ତୁମେ ଗୁଣୁଗୁଣୁ ହୋଇ ଗାଉଥିବା ଗୀତର
ଅନ୍ତରା ନହେଲେ ମୁଖଡା ହୋଇ ତୁମ ଓଠ ଦେଇ ବହି ଯିବି
କେବେ ତୁମେ ନୀରବ ହୋଇ ବସିଥିବା
କେଉଁ ଶୁନଶାନ୍ ଜାଗାରେ ନିରବତା ହୋଇଯିବି
ହେଲେ ମୁଁ ତୁମକୁ ପୁଣି ଭେଟିବି।
କେବେ ସକାଳର ଚାହା ହୋଇ
ପ୍ରେମର ଗୋଟେ ଚାମଚ ମିଶାଇ
ତୁମ ଓଠ ଦେଇ ବହି ତୁମ ଜିଭରେ ଛନ୍ଦି ଯିବି
କେବେ ପୁଣି ଦୁଃଖର ଲୁହ ହୋଇ ତୁମ ଗାଲକୁ ଛୁଇଁବି
ହେଲେ ମୁଁ ତୁମକୁ ପୁଣି ଭେଟିବି।
ତୁମକୁ ଆସିବାକୁ ହେବ
ପ୍ରତ୍ୟେକ ମୁହୂର୍ତ୍ତ ମୋ ସାଥିରେ ରହିବାକୁ ହେବ
ହାତରେ ସେ ରେଖାକୁ ବଦଳିବାକୁ ହେବ
ମୁଁ ବୋଧହୁଏ ବିରହର ସଜା କାଟୁଛି ଯନ୍ତ୍ରଣା ଜେଲରେ
ସଜା ସରିଗଲେ ମୁଁ ତୁମକୁ ପୁଣି ଭେଟିବି।
ଏଇଟା ମୋର ନିଜସ୍ୱ ସଂରଚନା ହେଲେ ପଞ୍ଜାବିରେ ଗୋଟେ କବିତା ଶୁଣିଥିଲି ପଦ୍ମ ବିଭୂଷଣ ଅମ୍ରିତା ପ୍ରିତମଙ୍କ ଲେଖା "ମେ ତେନୁ ଫିର୍ ମିଲୁଙ୍ଗି" ଯାହା ସେ ତାଙ୍କ ପ୍ରେମିକ ପାଇଁ ଲେଖିଥିଲେ। ତାଙ୍କର କବିତାକୁ ଲକ୍ଷ୍ୟ କରି ଲେଖିଦେଲି।
