ମୁଁ ସେପାରିର ନାଉରୀ
ମୁଁ ସେପାରିର ନାଉରୀ
ସେ ପାରିର ନାଉରୀ ମୁଁଁ
ଯିବାର ଅଛି ତ
ଚାଲ ସଖୀ !
ନ ହେଲେ ମୁଁ ଏକା ଏକା ବାହୁଥିବି
ସେ ପାରିର ଯାତ୍ରୀ ଟିଏ ମୁଁ
ଯିବାର ଅଛି ତ
ଚାଲ ସଖୀ !
ନ ହେଲେ ମୁଁ
ମୋ ଗୀତ ବାହୁନି ବାହୁନି ଚାଲି ୟିବି |
ମଧ୍ଯାହ୍ନ ଦିବାଲୋକରେ
ଘୁମେଇ ହେଇ ଗୁମୁରୁଛ ଯେ ଚାଲି ଆସନା
ଏଠି ଅଛି ତୁମ ପାଇଁ
ଲୁହା କଡ଼େଇରେ ସିଝୁଥିବା ପରି
ଲୁହାର କାରଖାନା
କିମ୍ବା ମାଟି ସଙ୍ଗେ ମାଟି ହେବାର
ଆଂଧ୍ର କୁ ଇଟା ଗଢିଯିବା କୁ ଡାକରା |
ସତେ ନା କ'ଣ ସଖୀ !
ତୁମ କପାଳର ଝାଳ ଏମିତି
ସବୁଦିନ ମାଟିରେ ଚକଟି ହେଉଥିବ ?
ସତରେ ସଖୀ !
ତୁମର ଝାଳ
ମାଟିରେ ଚକଟି ହୋଇ,
ଲୁହାରେ ନିଗିଡ଼ି ଯାଇ
ପାଲଟି ଯିବ ନିର୍ବାକ ଓ ସ୍ତବ୍ଧ ?
ଚାଲି ଆସ ସଖୀ !
ସେ ପାରି କୁ ଚାଲିଯିବା
ଏ ମନର ରୁକୁଣା ରଥରେ ଯହିଁ
ମାଟି ସାଙ୍ଗେ ମାଟି ହେବାର
ଲୁହା ସାଙ୍ଗେ ଲୁହା ହେବାର ପ୍ରଶ୍ନ ହିଁ ନାହିଁ |
ଯିବାର ଅଛି ତ ଚାଲ ସଖୀ !
ତା' ବଦଳରେ ଦାମ ବି ନେବି ନି
ନେବି ଖାଲି , ବିଶ୍ବାସ ଭରା ଦୁଇ ପଦ କଥା
ଯେଉଁଥିରେ ତମର ହିଁ କାମ ଆସିବ ଯାହା
ଯିବାକୁ ପଡିବନି ଭିଟା ମାଟି ଛାଡ଼ି |
ସଖୀ !
ମୁଁ ବି ବ୍ଯସ୍ତ ବିବ୍ରତ
ତୁମ ସେଇ ସ୍ତବ୍ଧ ଜୀବନ ଯେ
ପାଲଟି ଯାଏ
ନିରନ୍ନ କାଳ ବୈଶାଖୀରେ
ବସନ୍ତର ଆବାହନୀ
ତୁମ ସେଇ ନିର୍ବାକ୍ ଜୀବନ ଯେ
ଆନନ୍ଦାଶ୍ରୁର ଭାଷା କହେ
ପୁଣି
ବହୁଥାଏ ସୁଅ-ନିର୍ଝରିଣୀ |
ଚାଲି ଆସ ତହୁଁ ସଖୀ !
ନିର୍ବାକ ଓ ସ୍ତବ୍ଧ ହୋଇ
ପର ପାଇଁ , ଧନିକ ପାଇଁ
ସଜାଅନି ସାତ ରଙ୍ଗ
ଇନ୍ଦ୍ରଧନୁର ସାତଟି କିରଣେ ,
ଦିଅ ନାହିଁ ପ୍ରଳାପେ ପ୍ରଳେପ
ଫୁଟାଅନି ସୁଖର ଗୋଲାପ
ଏ ଧନିକ ମନ ଭ୍ରମରା କୁ
ଭ୍ରମିବାକୁ ଦିଅ ନାହିଁ ସ୍ବପ୍ନ ଉପବନେ |
ସଖୀ !
ଏଠି ତ ଖାଲି
ଖାଁ ଖାଁଁ ହେଉଥିବା ଦୃଶ୍ଯ
ଆଁ ଆଁ ଫାରିଥିବା ବାହାଲ ଜମି
ଯେଉଁଠି ବର୍ଷା ଟିକେ ନାଇଁ
କିନ୍ତୁ , ସେ ପାରି ରେ ସଖୀ !
ନା' ଝଡିର ପ୍ରଶ୍ନ
ନା' ବଢ଼ିର ପ୍ରଶ୍ନ , ନା' ମରୁଡିର ପ୍ରଶ୍ନ
କିନ୍ତୁ ,
ଖାଲି ଆଶାର ନୁହେଁ ସଖୀ !
ବହେ ସେଠି ଶାନ୍ତିର ବୈତରଣୀ |
ଏଠି ତ ଦୁଃଖର କାରାଗାର
ହେଣୁଆଁ ଆଉ କରଡିର ଝୋଳ ସାଙ୍ଗେ
ବାସି ଗୋଟେ ଖୁରି ତ ଦୂରର କଥା ।
ନା' ତମ ପାଇଁ ଅଛି ପେଟକୁ ଦାନା
ନା' ଦେହକୁ କନା
ତେଣୁ ,
ଚାଲି ଆସ ସଖୀ !
ନା' ସେଠି ଅଛି
ଏଇ ଭୋଟ ବେଳେ
ହାତୀ ଘୋଡା ଯାନ ଗାଡିର ଇସ୍ତାହାର
ନା' ଟଙ୍କିଆ ଚାଉଳର ଘୋଷଣା
ତଥାପି ସେଠି
ନା' ଭୋକର ପ୍ରଶ୍ନ
ନା' ଶୋଷର ପ୍ରଶ୍ନ |