'ମୁଁ'ର ମୋକ୍ଷ
'ମୁଁ'ର ମୋକ୍ଷ
ମୁଁ ମୁକୁଳେଇ ନେଲି ନିଜକୁ
ଶାଣିତ ଶବ୍ଦର ଜାଲରୁ
ଅନାବଶ୍ୟକ ଲୋକଙ୍କ କଟୁକ୍ତିରୁ
ସମାଲୋଚନାରୁ
କିଏ ହେଲାଣି କି ଏଇଠି ନିଜର
ନା ଜନ୍ମିତ ସମ୍ପର୍କ ନା ଜନ୍ମ ପରର
କେବେ ଭାବି ବସିଲେ ଵିତୃଷ୍ଣାରେ ଭରିଯାଏ ମନ
ବାଷ୍ପୀଭୂତ ହୁଏ ସକଳ ଶାନ୍ତି ଆପଣାପଣ
ସମୟର ଦୃଷ୍ଟିରୁ ନା ଲୁଚିହୁଏ
ନା ଚୋରାଇହୁଏ କିଛି କ୍ଷଣ
କେବେ କେବେ ତ ଧୋକା ବି ଦେଇଦିଏ ନିଜ ସ୍ପନ୍ଦନ
ବୈରାଗ୍ୟର ବୋଝରେ ଯେବେ ଭାରାକ୍ରାନ୍ତ ହୁଏ ମନ
ଆକାଶ ପୃଥିବୀ ରଙ୍ଗ ଫଗୁଣ
ସବୁ ହୋଇଯାଏ ଅର୍ଥହୀନ
ମୁଁ ମୁକୁଳେଇ ନେଲି ମୋତେ ବୃଥା ଆତୁରତାରୁ
ମୁଁ ମୁଁ ର ପାଗଳ ପଣରୁ
ଜହ୍ନ ରାତିର ମିଠା ସମ୍ମୋହନରୁ
ଶୁଖିଲା ପତ୍ରର ଉଦାସୀନତାରୁ
ଏବେ ତ ମାତ୍ର ଆଉ କେଇ ପାଦ
ଭୋଗିବାକୁ ଶେଷରାତିର ନିଦ
ସେଇ କିଛି ମୁହୂର୍ତ୍ତ ନିଜ ଇଚ୍ଛାରେ
ଖାଲି ନିଜ ପାଇଁ ବଞ୍ଚାଯାଉ
ଯଦି ସମ୍ଭବ
ଅବଶୋଶର ଦର ଆଉଜା କବାଟ ଖୋଲି
ଦେଖାଯାଉ ଥରେ
ଆଉ କଣ ହୋଇପାରେ
ଆଉ କଣ ଘଟିପାରେ
ଯଦି ମୁଁ ନିଜକୁ ନ ମୁକୁଳେଇ ନିଏ ଅବାଞ୍ଛିତ ଯନ୍ତ୍ରଣାରୁ