ଉପହାର
ଉପହାର
ଫୋନ ରଖିସାରିବା ପରେ ଖୁବ ଗୋଳେଇ ଘାଣ୍ଟି ହେଲା ମନ।କେମିତିକା ରାଶି ନକ୍ଷତ୍ର ରେ ମୋ ଜନ୍ମ କେଜାଣି, ଖୁବ ସ୍ନେହ ଆଦର ମୋ ଭାଗ୍ୟରେ।
ଅଶୀତପର ଅଜା, ଆଈ ଯେବେ ମୋତେ ପଚାରନ୍ତି ନୂଆ ଲୁଗା ଆଣିଲୁଣି କି।ଖଣ୍ଡେ ନୂଆ ପିନ୍ଧିବୁ ନା।ଜନ୍ମଦିନରେ ମିଠା ଖାଇବୁ।ତୋ ବୋଉକୁ କହିବୁ ପିଠା କରିଦେବ।ବାସ ଭରିଯାଏ ମୋ ମନ।ମୋ ସ୍ବପ୍ନ, ମୋ ଦୁନିଆଁ ତ ଏଇଠି ବନ୍ଧା ପଡିଛି ,ଏଇ ବିରି ପିଠା,ରସଗୋଲା ପାଖରେ।ସବୁ ଅଛି ମୋ ପାଖରେ କିନ୍ତୁ ତୁମ ମାନଙ୍କର ଏଇ କେଇ ପଦ କଥା ମୋତେ ରାଜଜେମାର ଅନୁଭବ କରେଇଦିଏ।ଜନ୍ମଦିନ ତ ଆସେ କେବେ cake, କେବେ ଫୁଲର ମେଳେ.... କିନ୍ତୁ ତୁମେମାନେ ପାର୍ବଣ କରିଦିଅ ଏଇ ତିଥିକୁ।ମୁଁ ପାଲଟି ଯାଏ କୁନି ଈଶ୍ୱରୀଟିଏ।ସାଇତି ରଖେ ମନର ସିନ୍ଦୁକ ରେ ତୁମ ମାନଙ୍କ ଆଶୀର୍ବାଦକୁ। ତଳ ଭରଡ଼ା ର ଫଡଫଡ ଶବ୍ଦରେ ଥରି ଉଠେ ମୋ ଛାତି।ଶୁଖିଲା ପତ୍ରକୁ ଆଞ୍ଜୁଳିରେ ଭରିନେଲା ବେଳେ ଦକ୍ଷିଣା ପବନ ବାଦ କରି ଉଡେଇନିଏ ଶୁନ୍ୟ ସ୍ଥାନ ସୃଷ୍ଟି କରି।ମୋର ଏତେ କଲିଜା କାହିଁ ଏତେ କ୍ଷତର କଷ୍ଟ ସହିବା ପାଇଁ।ମୁଁ ତ କୁନି ଈଶ୍ୱରୀ ଯିଏ ଆଶୀର୍ବାଦ ସବୁ ଭରି ଚାଲିଛି ଜୀବନ କୁମ୍ପିରେ।ମୋ କୁମ୍ପି ଭରିଲେ ତ!ମୁଁ ପରା କୁମ୍ପି ତଳେ ସୁଡଙ୍ଗ ଟିଏ ବନେଇଛି ଆର ଜନ୍ମ ପର୍ଯ୍ୟନ୍ତ।ତେଣୁ ଯେତେ ଦିନ ଯାଏ ମୋର ପୁନଃ ଜନ୍ମ ହୋଇନି, ସେତେଦିନ ପର୍ଯ୍ୟନ୍ତ ତୁମେମାନେ ଆଶୀର୍ବାଦ ଭରିବାକୁ ବାଧ୍ୟ ହୁଅ ପଛକେ ତଳ ଭରଡ଼ା ଅବା ସୂର୍ଯ୍ୟାସ୍ତକୁ ଅପେକ୍ଷା କରିଥିବା ପଶ୍ଚିମ ଆକାଶ ...ମୁଁ ତ ଛାଡିବାର ନୁହେଁ.....
