ମୁଁ ପାରିବିନି ମରି
ମୁଁ ପାରିବିନି ମରି
,,,,,,,,ମୁଁ ପାରିବିନି ମରି,,,,,
@ ଶଶାଙ୍କ ଶେଖର ରାୟ
ମୁଁ ମରିବିନି ଏତେ ସହଜରେ
ଜୀବନ ପାଇଛି ବହୁ କଷ୍ଟରେ
ନାହିଁ ମୋ ମୁଣ୍ଡେ ଛାତଟିଏ
ନା କାହାର ଆଶିଷର ହାତ ଅଛି ମଥାରେ
ଏକା ଏକା ଯାଯାବରଟିଏ ମୁଁ
ଘୁରି ବୁଲେ ଏ ସହରରୁ ସେ ସହର
ତୁମେ ମାରିବାକୁ ଚାହିଁଲେ ବି
ଦୁବଘାସ ପରି କଅଁଳୁଥିବି
ଦଳିଦେଲେ ବି ମୋତେ ପାଦ ତଳେ ।
ସମୟର କାନ୍ଥେ ଭରାଦେଇ
ଚାଲିବା ଶିଖିଛି ଭୋକେ ଚଳଚଳ
ଝରଣାର ଜଳ ମନ ଭରି ପିଇଛି
ସହିଛି ଗ୍ରୀଷ୍ମର ଝିଁ ଝିଁ ଖରା
ଭିଜିଛି ଅନେକ ଶ୍ରାବଣର ଝଡବରଷା
ଫୁଟ୍ ପାଥେ ଶୋଇଯାଇଛି ଏକା ଏକା
ଶୀତ ଭୟେ ଛିଣ୍ଡା ମସିଣା ତଳେ ।
କେହି ଦିନେ ପଚାରିନାହାଁନ୍ତି ମୋତେ
କେମିତି ଅଛି ମୋ ଦୁନିଆଁ
ଭୋକ ଶୋଷ ଅଭାବ କି ଅସୁବିଧା
ଏଠି ଆପେ ବଞ୍ଚିଲେ ବାପାର ନାଁ
ଭିଡ ବ୍ୟସ୍ତରେ କିଏ ବା କାହାକୁ ପଚାରେ
ଦଉଡିବାର ନିଶା ସମସ୍ତଙ୍କ ଭିତରେ
।
ରେଲଓ୍ଵୋ ବସଷ୍ଟାଣ୍ଡ ମନ୍ଦିରେ ଜନ ଗହଳିରେ
ପାତିଥାଏ ହାତ ପେଟ ବିକଳେ
କିଏ କିଛି ଦିଏ ଆଉ କିଏ ଗାଳିଦିଏ
ଅକର୍ମା ପଙ୍ଗୁ ଅଥର୍ବ କହି କହି
ଅଇଁଠା ପତର ଚାଟିବାକୁ ବୁଲା
କୁକୁରଙ୍କୁ ହାତ ଠାରି ଦେଖାଏ
ଦୁଃଖ କଷ୍ଟ ଯେମିତି ଏକା ମୋ ଭାଗ୍ୟରେ ।
ବଞ୍ଚିବାରେ କି ଲୋଭ ଥାଏ କେଜାଣି
ପୃଥିବୀର ରଙ୍ଗିନ ମାୟାରେ ପଡିଗଲେ ଥରେ
ମାଟି ପାଣି ପବନ ଯେମିତି ଲାଗନ୍ତି
ଅତି ନିଜର ନିଜର ମଣିଷମାନଙ୍କୁ
ମରିବାକୁ ଇଚ୍ଛା ହୁଏନି ଜମା କେବେ ।
ସରଗରେ କଣ ଥାଏ ଖାଲି ସୁଖର ପସରା
ପାରିଜାତଫୁଲ ଉର୍ବଶୀ ମେନକା
ସବୁ ଅଛି ଏଇଠି ସୁଖଦୁଃଖ
ମିଶା ଆତ୍ମିୟ ସ୍ନେହଶ୍ରଦ୍ଧାରେ
ଟିକେ ଶାନ୍ତିରେ ମୁଣ୍ଡ ଗୁଞ୍ଜିବାପାଇଁ
ଛ ହାତ ଜାଗାଟିଏ ଲୋଡା
ତା ଠାରୁ ଅଧିକ ମୁଁ ପାଇଛି
ପାଟ ପୀତାମ୍ଵର ନ ଥିଲା ନାହିଁ
ଚିରାଭେକେ ହସି ଉଠେ ମୁଁ ଗରବେ ।
