ମୁଁ ଓ ମୋ ଡ଼ାଏରୀ
ମୁଁ ଓ ମୋ ଡ଼ାଏରୀ
କର୍ମ-କ୍ଲାନ୍ତ ଦିବସର
ଯବନିକା ପଡ଼ିବା ପରେ
ପୁଣି ଥରେ ଏକା ଏକା ଆମେ ,
ସଙ୍ଗଦାନ କରୁଛୁ ନିଜେ ନିଜକୁ,
ମୁଁ ଓ ମୋ ଡ଼ାଏରୀ,
ଆମେ ଦୁହେଁ ଠିକ୍ ଏକା ପରି
ଦୁହେଁ ଦୁନିଆଁ ପାଇଁ ନିର୍ଜୀବ
କିନ୍ତୁ ଅନ୍ତର ଭିତରେ ଲୁଚାଇ ରଖିଛୁ
ଭାବର ମହାସାଗର ,
ଡ଼ାଏରୀର ପୃଷ୍ଠା ସବୁ
କେତେ ସମୟ ଧରି
ଚାହିଁ ରହିଛନ୍ତି ଯେ,
ମୋ ଆସିବା ବାଟକୁ,
କିଛି ତ ଲେଖିବାକୁ ହେବ
କିଛି ତ କହିବାକୁ ହେବ,
କିଛି କଥା ,
କିଛି ଅନୁଭୂତି,
କିଛି କବିତା
ଆଉ ପୁଣି ଦେବାକୁ ହେବ,
କିଛି ପ୍ରତିଶ୍ରୁତି,
ଆଜିର ଦିନଚର୍ଯ୍ୟା ଶୁଣିବେ ବୋଲି
କରିଛନ୍ତି ଦିନ ତମାମ୍ ପ୍ରତୀକ୍ଷା ,
କାଳେ ଥିବ ବୋଲି
ମୋ ପାଖରେ କିଛି ନୂଆ ଅନୁଭୂତି
ନୂଆ ନୂଆ ଖବର କିଛି,
କିନ୍ତୁ କେମିତି ବା ବୁଝେଇବି ତାଙ୍କୁ ,
ଆଜି ବି ମୁଁ ଫେରିଛି
ରିକ୍ତହସ୍ତା ହୋଇ,
ଜୀବନର ସେ ଚିରାଚରିତ,
ତିକ୍ତ ଅନୁଭୂତି ସାଉଁଟି ।