ମୁଁ ନିଜେ ମୋ'ପାଇଁ ସତ୍ୟ
ମୁଁ ନିଜେ ମୋ'ପାଇଁ ସତ୍ୟ
ଆଜି ନ ଭିଜିଲେ
ଜୀବନରେ କେବେ
ଭିଜି ମୁଁ ପାରିବି ନାହିଁ ।
ସେଇଥିପାଇଁ ତ
ଭିଜି, ଭିଜୁଅଛି
ଶ୍ରାବଣୀ ସଙ୍ଗୀତ ହୋଇ !
ମୁଁ ସିନା ଭିଜୁଛି
ମୋ' ସୁର ସଜେଇ,
ଛନ୍ଦେ ଛନ୍ଦେ,ତାଳେ ତାଳେ ।
ଶ୍ରାବଣୀ ମନ ଯେ
ଫିକା ଫିକା ଲାଗେ
ତା' ଓଢଣି ଆଢୁଆଳେ ।
ସଙ୍ଗୀତ ମୁଁ ନୁହେଁ,
ତା' ପ୍ରୀତିର ଝର
ସାଥି,ସଂଲଗ୍ନା ସଙ୍ଗାତ !
ମୋ' ଗୀତ ଝଙ୍କାରେ
ଘନ କବରୀରେ
ଫୁଟେ ଫୁଲ ପାରିଜାତ ।
ଶ୍ରାବଣୀ ସଙ୍ଗାତ
ଭାବୁଛି ସିନା ମୁଁ,
ଶ୍ରାବଣୀ କି ମୋତେ ଚାହେଁ !
ସେଇଥିପାଇଁ ସେ
ଦୂରେଇ ଦୂରେଇ
ନଜର ଫେରାଇ ନିଏ ।
ଭିଜିବା ଆଗରୁ
ଭାବିବାର ଥିଲା
ଶ୍ରାବଣୀ ହୃଦୟ କଥା ।
ପଢ଼ିବାର ଥିଲା
ତା' ଆଖି ଇସାରା
ତା' ଓଠ ଅକୁହା ବ୍ୟଥା ।
ଏବେ ମୁଁ ବୁଝୁଛି,
ବୁଝି ମୁଁ ପାରୁଛି,
ମୋ'ସୁର ତା'ପାଇଁ ନୁହେଁ ।
ସଂକୀର୍ଣ୍ଣ ସୁରରେ
ଭାବର ବନ୍ୟାରେ
ବଉଦକୁ ଭଲ ପାଏ ।
ମୁଁ କାହୁଁ କଳ୍ପିବି,
ସଂକୀର୍ଣ୍ଣ ଶୃଙ୍ଗାର
ବଉଦ ବକ୍ଷରୁ ଝରେ ।
ମୁଁ ପରା ପର୍ଯ୍ୟାପ୍ତ
ଅନନ୍ତ ସାଗର
ମୋ'ପ୍ରେମରେ ବିଶ୍ୱ ଝୁରେ ।
ଭିଜିବି ଭିଜିବି,
ଭିଜି ଚାଲୁଥିବି
ହେବାଯାଏ ନିର୍ବାସିତ ।
ନିଜର ଭିତରେ
ନିଜକୁ ଖୋଜିବି
ମୁଁ ନିଜେ ମୋ'ପାଇଁ ସତ୍ୟ ।
