ମୁଁ କାଳେ ଅଧା ପକ୍ୱ: ଭାଗ ୨
ମୁଁ କାଳେ ଅଧା ପକ୍ୱ: ଭାଗ ୨
ଆସିଥିଲେ ହେଇଥାନ୍ତେ ସମ୍ପର୍କେ
ଶାଶୁ ଓ ଶ୍ୱଶୁର ପୁଣି
ସଙ୍ଗରେ ଥିଲେ ଶଳା ଓ ଶାଳୀ,
ଢଙ୍ଗ ବାଗରେ ଯିଏ ଯାହାକୁ ବଳି
ଲାଗୁଥିଲେ,
ଭଗବାନ ବୋଧେ ସୁସ୍ତିଆ ବେଳରେ
ଗଢ଼ି ତୋଳିଛନ୍ତି, ଧରି ବିଶେଷ ତୂଳି ।।
ମା' ତା' ଦୂର୍ଗା, ବାପା ତା' ମହିଷା
ଭାଇ ତା' ଗୋଟାପଣେ ଦୁଃଶା,
ଆଉ ଶାଳୀ କଥା ମୁଁ କିପରି ବର୍ଣ୍ଣିବି,
ରୂପ ରଙ୍ଗ ବାଗ, ପୁଣି ତା' ବେଶଭୂଷା !
ଆସିଥିଲା ଯେଉଁ ଶାଳୀ
ଶାଳୀ ନୁହଁ ସେ ସାକ୍ଷାତ ଛୁଆଖାଇ କାଳୀ
ରକ୍ତ ରଞ୍ଜିତ ଓଷ୍ଠ ତା' ,
Lake me ର ନାଲି ଲିପ୍_ଷ୍ଟିକ୍ ବୋଳି
ଏମନ୍ତ ରୂପେ ଥିଲା ମୋ ଉଡ୍ ବି ଶାଳୀ
ଏମନ୍ତ ରୂପେ ଥିଲା ମୋ ଉଡ୍ ବି ଶାଳୀ,
ଲାଗୁଥିଲି ଯେମିତି
ପୂଜା ପାଇଁ ପ୍ରସ୍ତୁତ, ତା' ସମ୍ମୁଖେ, ମୁଁ ସଦ୍ୟ ବଳି
ମୁହଁଟା ମୋର ତଳକୁ ଓହଳି
ସେ ପଚାରନ୍ତେ, ତୁମ ନାଁ କ'ଣ ?
ନର୍ଭସ୍ ରେ କହିଲି, " ନାଁ ମୋ କାଳି "
'କୁମାର' କାଳିରୁ ଓଟାରି
ସମ୍ମୁଖେ ଉତ୍ତର ଥୋଇଲି ଚଟାପଟ୍ କରି ।।
ତହୁଁ ! ମଧ୍ୟସ୍ଥ ଜଣଙ୍କ
ଧ୍ୟାନରତ ମାଛରଙ୍କା ପ୍ରାୟ
ସୁଯୋଗ ସାଉଁଟି
ଖୋଲି ପାନଖିଆ ତାଙ୍କ ରଙ୍ଗୀନ୍ ପାଟି
କହିଲେ, " ଆମ ଝିଅର ନାଁ ବି ଗୋରୀ"
'ଗ' ରୁ 'ଔ' କାରକୁ କାଡ଼ି, 'ଓ' କାର ଭିଡ଼ି
'କାଳି-ଗୋରୀ' ; ଆହାଃ ! କି ସୁନ୍ଦର ଯୋଡ଼ି
କହିଲେ ମଧ୍ୟସ୍ଥ, ପାନଖିଆ ନାଲି ଦାନ୍ତ ନେଫେଡ଼ି ।।
"ଭୁଆଁ ବାବୁ ! ଏ କ'ଣ କହୁଛନ୍ତି ?"
ଆଶ୍ଚର୍ଯ୍ୟ ଭାବରେ ଉଡ୍ ବି ଶ୍ବଶୁର ଭାସଇ
ମୁହଁ ତାଙ୍କର ଚିନ୍ତାମଗ୍ନ ଟିକେ ଦିଶଇ,
ତହୁଁ, ହୋଣ୍ଡା ପମ୍ପସେଟ୍ ପରି ଧକେଇ ଧକେଇ
ମଧ୍ୟସ୍ଥ ଜଣଙ୍କ ବିରକ୍ତିସୂଚକେ କହଇ,
" ଭୁଆଁ ନୁହଁ, ପଦବୀ ମୋର ଅଟଇ ଭୂୟାଁ "
ଭୁଆଁ ଆଉ ଭୂୟାଁ ଭିତରେ ପାର୍ଥକ୍ୟ, ଆପଣଙ୍କୁ ଦିଶୁନି କିଆଁ !
ତୁମ ପାଇଁ ଗୌରୀ, ଗୋରୀ ହୋଇଗଲା କୁହ କେମିତି ?
ଭୁଆଁ ଆଉ ଭୂୟାଁ ଭିତରେ, ମୋ ପାଇଁ
ପାର୍ଥକ୍ୟ ନ ଥାଇ ପାରେ ସେମିତି !
ଭୁଆଁ ହେଉ କି ଭୂୟାଁ , ତୁମକୁ ଖରାପ ନ ଲାଗିବା କଥା
ପ୍ରତିରୂପକ ଭାବେ ମୋ ମନେ ତୁମେ ବି ଦେଇଛ ବ୍ୟଥା
ଏଇ ଯୋଡ଼ାଯୋଡ଼ି କାମ କରୁଅଛ ବୋଲି କଣ
ନାଁ ରେ ବି ଯୋଡ଼ାଯୋଡି, ଫେଡ଼ାଫେଡ଼ି କରିବ,
ତୁମେ ଚୁପ୍ ରୁହ
ଯାହା ପଚାରିବାର ଅଛି
ମୁଁ ପଚାରିବି, ଏବେ ମୋତେ ସୁଯୋଗ ଦିଅ !
ତାଙ୍କ ଗୋରିଲା- ସିମ୍ପାଞ୍ଜି ଲଢେ଼ଇ
ମୋ ଭିତରେ ବ୍ୟଙ୍ଗକୁ ଦେଉଥିଲା ଟିକେ ବଢ଼େଇ
ସେପଟେ ବୋଉ ମୋ ମନ କଥା ଜାଣି ପାଇ
ଆଙ୍ଗୁଳି ଇଙ୍ଗିତେ କହୁଥିଲା, " ନାଇଁ ! ନାଇଁ ! ନାଇଁ !"
ଏ ସମସ୍ତ ଭିତରେ ,
ଉଡ୍ ବି ଶ୍ୱଶୁର ପ୍ରଶ୍ନ କରିଲେ, ଛେପକୁ ଢ଼ୋକି
କ'ଣ କରୁଛ ?
ସମାଜରେ ତୁମ କେମିତି ଛବି ?
"ବୃତ୍ତିରେ ଅଧ୍ୟାପକ, ନିଶାରେ କବି "
ସଂଭ୍ରମେ କହିଲି, କ୍ଷଣିକେ ଭାବି
ଭିତରୁ ତେଜି,ଉପରୁ ହେଜି
ଆଉ ଯଦି କିଛି ଜିଜ୍ଞାସା ଅଛି
A4 ସିଟରେ Bio-Data
ପୁଣି Times Romanରେ
କ୍ୟାପିଟାଲ ଆଉ ବୋଲଡରେ ଟାଇପ୍ ହୋଇଛି
କହିବ ଯଦି, ଧରେଇ ଦେବି
ସଂଭ୍ରମେ କହିଲି, କ୍ଷଣିକେ ଭାବି
ଭିତରୁ ତେଜି,ଉପରୁ ହେଜି ।
ଅଧ୍ୟାପକ ସାଙ୍ଗକୁ କବିଟା ପୁଣି
ଏମିତି ଡେଡ୍_ଲି କମ୍ବିନେସନ୍ ଶୁଣି
ମନ ବୋଧେ ତାଙ୍କ ଆମ୍ବିଳା ହେଲା
କୁଞ୍ଚିତ ଭ୍ରୁଲତାରେ ଚିନ୍ତା ସବୁ ଲହଡ଼ି ଭାଙ୍ଗିଲା ।
ଅଧା ପକ୍ୱ ଯିଏ ସେ ହିଁ ତ ଅଧ୍ୟାପକ
ସମ୍ପୂର୍ଣ୍ଣ ପକ୍ୱ ହୋଇଥିଲେ, ହୋଇଥାନ୍ତେ ପ୍ରାଧ୍ୟାପକ
ଠିକ୍ ଅଛି ! ଚଳେଇ ଦେବି !
କିନ୍ତୁ, ଅସୁବିଧା ଏହି ଗୁଣଟା 'କବି'
ସଂଭାଷିଲେ ଝିଅର ବାପା, ଟିକିଏ ଭାବି ।
ଏହି କବି ଗୁଣଟା ଛାତିକୁ ବାଧୁଛି କିଆଁ
ଜାଣିଶୁଣି କାହିଁକି, ଅଣ୍ଟିରେ ପୁରେଇବି ନିଆଁ
ଏ କବିମାନଙ୍କ ନିୟତ୍ ଟିକିଏ ଅଡ଼ୁଆ
ସୁନ୍ଦରୀ ତରୁଣୀ ପାଇଁ, ମନଟା ୟା' ଙ୍କ ଉର୍ବର ପଡ଼ିଆ
କେତେ କେତେ ଭାବନା, କାହା କାହା ପାଇଁ ପୁଣି ଫୁଟିବ
ଅବେଳରେ ମୋ ଝିଅର କପାଳ ଫାଟିବ
କଣ ବା କହିବି,
ସବୁ ଠିକ୍ ଠାକ୍ ଲାଗୁଛି
କିନ୍ତୁ ! ଏହି କବି ଗୁଣଟା ମନରେ ଶଙ୍କା ଭରୁଛି ।
ପ୍ରସ୍ତାବ ରଖନ୍ତି,
ଯଦି ମନରେ କିଛି ନ ଧର
ପାରିବ ଯଦି, ଏହି
କବିପଣକୁ ନିଜଠୁ ଅନ୍ତର କର
ନ ହେଲେ କଥାଟିକୁ , ନ କରି ମଧ୍ୟାନ୍ତର
ଏଇଠି ସମାପ୍ତ କର ,
କବି ଗୁଣ ପାଇଁ ମନ ମୋ, ଧରି ସାରିଲାଣି ଘର
ଦୟାକରି ! ଆମକୁ ମାଫ୍ କର
ଦୟାକରି ! ଆମକୁ ମାଫ୍ କର ।।