ମୁଁ ହାଟ
ମୁଁ ହାଟ


ମୁଁ ହାଟ
ସପ୍ତାହରେ ଗୋଟିଏ ଦିନ ମୋର
ସଭିଙ୍କ ସହ ଭେଟ ।
କିଏ ବିକି ରୋଜଗାର କରେ ତ
କିଏ କିଣି ଆବଶ୍ୟକତା ଭରେ
ମୁଁ କିନ୍ତୁ ଖୁବ୍ ଖୁସି ଥାଏ ଏହି ଜନଗହଳି ଭିତରେ ।
ଆଉ ଆତ୍ମସନ୍ତୋଷର ହସ ହସୁଥାଏ
ଦାଦନ ଖଟିବାର ମୋହକୁ ତ୍ୟାଗ କରି
ନିଜ ବାରିବଗିଚାରେ ଚାଷ କରି ଆଣିଥିବା
ସତେଜ ପରିବା ଭିତରେ ।
ଅର୍ଦ୍ଧଶିଖିତ, ଅଶିକ୍ଷିତ ବେକାରୀଙ୍କର ସହରରୁ ଆଣି
ବିକ୍ରି କରୁଥିବା ଭିନ୍ନ ଭିନ୍ନ ଦରବରେ ।
ମୁଁ ହସେ ଆହୁରି ହସେ
ବା ହାତ ଧରି ଆସିଥିବା କୁନିଝିଅ ମଙ୍ଗୁଳିର
କଅଁଳ ମୁହଁର ହସ ପାଖୁଡାରେ ,
ବାହଘର ସ୍ଥିର ହୋଇଥିବା ବୁଧେଇର
ରିବନ ଚୁଡି ଟିକିଲି ନଖପାଲିସି କିଣାରେ ।&nb
sp;
ନୂଆ ବାହାହୋଇ ବାପଘରକୁ ଫେରି
ବର ସଙ୍ଗେ ମଜା ନେଉଥିବା ଗୁରୁବାରୀର ବରା ଓ ପିଆଜି ସ୍ଵାଦରେ
ହସ ସହ ଲୁହ ଜକେଇ ଆସେ
ଅଳ୍ପ ବୟସ୍କା ବିଧବାର,
ଗୁମୁଟି ଭିତରୁ ଆସୁଥିବା ସିଲେଇ ମେସିନ୍ ଶବ୍ଦରେ ।
ସଞ୍ଜ ନଁଏ, ଗହଳି ଭାଙ୍ଗେ
ଶୁନ୍ ଶାନ୍ ସବୁ ଶୁନ୍ ଶାନ୍
ତା ପରେ ମୁଁ ଥରିଉଠେ ।
କୋହରେ ଭୟରେ ଲଜ୍ଜାରେ
କେତେକ ନିଶାସକ୍ତଙ୍କ ଠଣ୍ ଠଣ୍ ବୋତଲ ଶବ୍ଦରେ
ଅଶ୍ରାବ୍ୟ ଭାଷାରେ
ଟଳମଳ ହେଉଥିବା ପାଦର ବୋଝରେ ।
ପୁଣି ଅପେକ୍ଷା କରେ
ନିଜକୁ ପ୍ରସ୍ତୁତ କରେ
ଆଗାମୀ ସପ୍ତାହର ଏଇ ଦିନକୁ
କୋଳାହଳ ପୂର୍ଣ୍ଣ ଜନ ସମାଗମକୁ
ଆଦରରେ କୋଳେଇ ନେବାକୁ ।