ମୁଁ ବର ଗଛ ଟିଏ
ମୁଁ ବର ଗଛ ଟିଏ
ମୁଁ ଗଛଟିଏ ବୋଲି
ସହୁଚି ଯାବତ କଷଣ ,
ଯେତେ ଯାହା ଯାତନା
ତୁମ ଅତ୍ୟାଚାର ।
ମୁଁ ଗଛ ଟିଏ
ସୂତାଖୀଅରେ ଝୁଲୁଚି ମୋ ଭାଗ୍ୟ
ମୋ ସକଳ ପ୍ରାରବ୍ଧ !
କେବେ ବୀଜରୁ ଅଙ୍କୁରିତ ମୁଁ
ମାଟିର ଜଠରେ
ମନେ ନାହିଁ ,
କେବେ ପଲ୍ଲବୀତ ମୋ ସବୁଜ କାୟା ',
କେବେ ପରଷିଲି
ତିଳତଣ୍ଡୁଳିତ ଛାୟା !
ମନେ ନାହିଁ ।
ହେତୁ ହେବା ଦିନୁ ମୁଁ ଦେଖୁଚି
ମୋ ସଚରାଚର ପୃଥିବୀ
ସୂର୍ଯ୍ୟ ଚନ୍ଦ୍ର ବେଗବତୀ ତଟିନୀ ,
କେତେ ଫୁଲ ମଧୁଭରା
ମଧୂପ ଗୁଞ୍ଜନ
ଲାଜ ଲାଜ ଅପାସୋରା
କେତେ ମଧୁ ଯାମିନୀ !
ମୋ ଶାଖାରେ କେତେ ପକ୍ଷୀ
କେତେ ତାଙ୍କ ମଧୁର କାକଳି
କେତେ ଫଳ ବୋକଭରେ ଗୁଣ୍ଡୁଚିର
ସୂର୍ଯ୍ୟତାପେ ମଥା ଯାଏ ଜଳି ।
ମୋ ଛାଇରେ କେତେ ହଟ କେତେ ନାଟ
ବୋହୁଚୋରୀ ,କିତିକିତି
କେତେ ଲୁଡୁ ତାଆସ ଆସର
ଜୀବନ ମୋ ଉଠେ ସତେ ଝଳି !
ମୋ ଶାଖାରେ ରଜଦୋଳି
ପୁନେଇ ପରବ
ମୋ ଦେହରେ ଚଇତାଳି
ପ୍ରେମର ସୌରଭ
ଛପି ଛପି ଛୁଏଁ କାହାଛାଇ ,
ମୋ ପାଦ ଦେଶରେ କେବେ
ପରିତ୍ୟକ୍ତ ପାଷାଣ ବି ଦେବୀ
ସିନ୍ଦୁର ଲେପିତ ହୋଇ ।
ଏଇଠି ମଙ୍ଗୁଳା ହୁଏ ବର କନ୍ୟା
ଏଇବାଟେ ଯାଏ କିଏ ସବାରୀକୁ ବୋହି
ଶୁଭୁଥାଏ "ଧାଙ୍କୁଲ ଧାବଲ ଏଇଠି ଖାଲ
ଏଇଠି ଢିପ "
ଗୋପାଳ କୁହାଟ ।
ମୋ ଛାଇରେ ଥକାମାରେ
ବାଟର ବାଟୋଇ
ଗର୍ଭିଣୀ ଗାଈ ,
ଜିଭ ଲହ ଲହ ବଳିଆ କୁକୁର
ଧକଉ ଥାଏ ବଇଶାଖୀ ଝାଞ୍ଜିଖାଇ ।
କେତେ ବାତ୍ୟା ମହାବାତ୍ୟା
ଭାଙ୍ଗିଛି ମୋ ଡାଳ
କେତେ ନବ କିଶଳୟ ଅଙ୍କୁରିତ
ମଣ୍ଡିଚି ମୋ କୋଳ ।
ତୁମପାଇଁ ପଇଚି ମୁଁ
କେତେ ନୀଳ ବିଷ
ଅକାତରେ ଦେଇ ଅମ୍ଲଜାନର ପୀଉଷ ।
ଆଜି ଶୁଭେ କାହା କ୍ରୂର ଅଟ୍ଟହାସ୍ୟ
ଭାଙ୍ଗିରୁଜି ମୋ ଦେହ ଭୂଗୋଳ
ଲେଖିବାକୁ ସଭ୍ୟତାର ନୂଆ ବର୍ଣ୍ଣମାଳା
ସମୟର ଚକ୍ରବାତେ ସରେ ମୋ ଆୟୁଷ !!