STORYMIRROR

Biswanath Nayak

Others

4  

Biswanath Nayak

Others

ମୁକ୍ତିତୀର୍ଥ

ମୁକ୍ତିତୀର୍ଥ

1 min
292


ଦେଖିନାହିଁ କାହିଁ

ସେ ସରଗପୁରୀ

ସ୍ଵର୍ଗସୁଖ କିମ୍ପା କରିବି ଆଶା। 

ମୋ ଜନମଭୂମି

ମୋ କଳପବଟ

ପୂର୍ଣ୍ଣ କରେ ସବୁ ଆଶା ଭରସା। 


ଆକାଶ ଯେଉଁଠି

ପଢ଼େ ରାମାୟଣ

ପବନ ଗାଉଛି ପବିତ୍ର ଗୀତା। 

ସାଗର ଲହରୀ

ଝୁମି ଝୁମି କାନେ

କହେ 'ଭାରତ'ର ଦିବ୍ୟ ବାରତା। 


ମାଟିରେ ଯାହାର

ଜୀବନର ବାସ୍ନା

ଜୋଛନା ଯେଉଁଠି ସୁଧା ବରଷେ। 

ସବୁଜ କ୍ଷେତରେ

ସୁନାର ଫସଲ

ଚଷାଭାଇ ଓଠେ ହସ ପରସେ। 


ହିମାଳୟ ଶୁଭ୍ର-

କିରୀଟ ଯାହାର

କୁଳୁକୁଳୁ ଯହିଁ ବହଇ ଗଙ୍ଗା। 

ଶାନ୍ତି, ମୈତ୍ରୀ, ପ୍ରୀତି,

ଭାତୃତ୍ଵର ଗୀତି

ସଗର୍ବେ ଯେଉଁଠି ଗାଏ ତ୍ରିରଙ୍ଗା। 


ପିତୃସତ୍ୟ ପାଳି

ରାଜା ରାମଚନ୍ଦ୍ର

ଗଲେ ଯହିଁ ବନ ଚଉଦ ବର୍ଷ। 

ତ୍ୟାଗ, ବଳିଦାନ,

ମମତାର ମାଟି

ମୋ ଜନମଭୂମି ଭାରତବର୍ଷ। 


ଜନମିଲେ ଯହିଁ

ବାସୁଦେବ କୃଷ୍ଣ

ଧର୍ମ ସଂସ୍ଥାପନ କରିବା ପାଇଁ। 

କର୍ମଯୋଗ ଶିକ୍ଷା

ଜୀବନର ଦୀକ୍ଷା

ମାନବଜାତିକୁ ଦେଲେ ବୁଝାଇ। 


ଯେଉଁ ମାଟି ଅଙ୍କେ

ଜନମିଣ ବାପୁ

ବିଶ୍ଵେ ଦେଖାଇଲେ ଅହିଂସା ମାର୍ଗ। 

ବୀର ପ୍ରସବିନୀ

ମମତାମୟୀ ସେ

ମୋ ଜନମଭୂମି ମୋ ପାଇଁ ସ୍ଵର୍ଗ। 


ଏହିଠାରେ ହୁଏ

ଚତୁର୍ବର୍ଗ ପ୍ରାପ୍ତି

ଧର୍ମ ,ମୋକ୍ଷ ଆଉ କାମ ଯେ ଅର୍ଥ। 

ଜନମ ଏଇଠି

ମରଣ ଏଇଠି

ମୋ ଜନମଭୂମି ମୋ ମୁକ୍ତିତୀର୍ଥ। 



Rate this content
Log in